ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ୍ (CAA) ଓ ଏନଆରସି (NRC)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ଏହାକୁ ନେଇ ଓଡ଼ିଶାବାସୀଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟ ସରକାର ଲୋକସଭାରେ ଓ ରାଜ୍ୟସଭାରେ ନାଗରିକତା ବିଲକୁ ସମର୍ଥନ କରିଛନ୍ତି କିନ୍ତୁ ଏନଆରସିକୁ ଆମେ ବିରୋଧ କରୁଛୁ। ତେଣୁ ରାଜ୍ୟବାସୀ ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ।”
ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନାଗରିକତା ସଂଶୋଧନ ବିଲ ବିଦେଶୀ ନାଗରିକଙ୍କ ପାଇଁ, ଏଥିପାଇଁ ଆମ ଦେଶ କିମ୍ବା ରାଜ୍ୟର ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାସହ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପୂର୍ବରୁ ମୁସଲିମ୍ ସଂପ୍ରଦାୟର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟରେ ଏନଆରସି ଲାଗୁ ନକରିବାକୁ ଅନୁରୋଧ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ରାଜ୍ୟରେ କଦାପି ଏନଆରସି ଲାଗୁ ହେବନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ମଙ୍ଗଳବାର ହଜାର ହଜାର ମୁସଲିମ୍ ସଂପ୍ରଦାୟର ଲୋକ ରାଜ୍ୟରେ ଏନଆରସି ଓ ସିଏଏକୁ ନେଇ ବିରୋଧ କରିଥିଲେ।