ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଆସିଛି ନୂଆ ଟୁଇଷ୍ଟ। ପ୍ରାୟ ୧୫ ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଚକିତ କରିବା ଭଳି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ‘ନାବାଳିକାଙ୍କୁ ହତ୍ୟା କରାଯାଇଛି। ହେଲେ ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ’।

ପୋଷ୍ଟମର୍ଟମ ରିପୋର୍ଟକୁ ପୀଡ଼ିତାଙ୍କ ପରିବାର ବର୍ଗ ଗ୍ରହଣ କରିବାକୁ ରାଜି ନୁହନ୍ତି। ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

‘‘ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ନବରଙ୍ଗପୁର ଏସ୍‌ପି ଗତକାଲି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ପଢ଼ିଥିଲେ। ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇ ନଥିବା ସେ କହିଥିଲେ। ହେଲେ ଆମେ ଏହାକୁ ଗ୍ରହଣ କରୁ ନାହୁଁ’’, କହିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ।

ଡିସେମ୍ବର ୧୩ରୁ ନାକଳିକା ଜଣକ ନିଖୋଜ ଥିଲେ। ଘରଠାରୁ ୩୦୦ ମିଟର ଦୂରରେ ଏକ ଧାନ କ୍ଷେତରେ ପୀଡ଼ିତାଙ୍କ ମୃତଦେହ ଠାବ କରିଥିଲେ ପରିବାର ଲୋକ। ଦୁଇଟି ଜିନ୍‌ ପ୍ୟାଣ୍ଟ ଏବଂ ହଳେ ଚପଲ ଘଟଣାସ୍ଥଳରୁ ମିଳିଥିଲା। ଏହାକୁ ନେଇ ପରିବାର ଲୋକ ପୀଡ଼ିତାଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ।

ପୋଷ୍ଟମର୍ଟମ ରିପୋର୍ଟ ଆସିବାରେ ବିଳମ୍ବ ହେବାରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।

Comment