ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପୋଲିସ ମୋ ସ୍ଵାମୀଙ୍କୁ ଉଠାଇ ଆଣି ବାଡ଼େଇ ବାଡ଼େଇ ମାରିଦେଇଛି। ହେଲେ ଏବେ ଏହାକୁ ଲୁଚେଇବାକୁ ପୋଲିସ୍ ମିଛ କହୁଛି। ମୋ ସ୍ୱାମୀ କଦାପି ପୋଲିସ ହେପାଜତରୁ ଖସି ପଳାଇ ନାହାନ୍ତି। ପୋଲିସ୍ ହେପାଜତରେ ହିଁ ମୋ ସ୍ୱାମୀଙ୍କ ମୃତ୍ୟୁ ଘଟିଛି”, ପୋଲିସ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ାର ଝିଲି ମଳିକ।

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁ’ରେ ରହୁଛନ୍ତି ଝିଲି ମଳିକ। ଗତ ଡିସେମ୍ବର ୩୦ ତାରିଖରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ତାଙ୍କ ସ୍ୱାମୀ ସନ୍ତୋଷ ମଳିକଙ୍କୁ ଗିରଫ କରିଥିଲା। ସନ୍ତୋଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରକାର ଅପରାଧିକ ମାମଲାରେ ସଂପୃକ୍ତ ଥିବା ସହ ବହୁତ ଥର ପୋଲିସକୁ ଚକମା ଦେଇ ଫେରାର ହେଇଯାଉଥିଲା। ଗତ ଡିସେମ୍ବର ୩୦ ତାରିଖରେ ପୋଲିସ ହଠାତ୍ ଅଭିଯୁକ୍ତ ସନ୍ତୋଷକୁ କାବୁ କରିବା ସହ ତାକୁ ଗିରଫ କରିଥିଲା।

ଏହାପରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଭିଯୁକ୍ତ ସନ୍ତୋଷକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରଖିଥିଲା। କିନ୍ତୁ ବୁଧବାର ରାତିରେ ଶୌଚ ହେବାର ବାହାନାରେ ସନ୍ତୋଷ ପୋଲିସ୍ ମୁଖ୍ୟାଳୟରୁ ଚମ୍ପଟ ମାରିଛି ବୋଲି କେନ୍ଦ୍ରାପଡ଼ା ଏସପି ନିତିଶେଖର ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସର ଏହି ଉତ୍ତରକୁ ମାନିବାକୁ ନାରାଜ ସନ୍ତୋଷଙ୍କ ସ୍ତ୍ରୀ ଓ ବାପା ପ୍ରହଲ୍ଲାଦ ମଳିକ।

Comment