ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିତରକନିକାରେ କୁମ୍ଭୀର ଗଣନା ଶେଷ
  • ବର୍ଷିକିୟା କୁମ୍ଭୀର ୩୨୫
  • ବଡ଼ କୁମ୍ଭୀର ସଂଖ୍ୟା ୪
  • ପ୍ରାପ୍ତ ବୟସ୍କ କୁମ୍ଭୀରଙ୍କ ସଂଖ୍ୟା ୩୩୯
  • ଅଣପ୍ରାପ୍ତ ବୟସ୍କ କୁମ୍ଭୀର ମାନଙ୍କ ସଂଖ୍ୟା ୧୮୫
  • ଶିଶୁ କୁମ୍ଭୀରଙ୍କ ସଂଖ୍ୟା ୨୮୮ ରହିଛି

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଶେଷ ହୋଇଛି ଭିତରକନିକା ବନାଞ୍ଚଳର କୁମ୍ଭୀର ଗଣନା। ପ୍ରକାଶ ପାଇଛି ଫଳାଫଳ। ଚଳିତ ବର୍ଷ ଭିତରକନିକା ଅଞ୍ଚଳରେ କୁମ୍ଭୀରଙ୍କ ସଂଖ୍ୟା ୧ ହଜାର ୫୫୭ରେ ପହଞ୍ଚିଛି। ଏଥିରେ ଅଛନ୍ତି ବିଶ୍ଵର ସବୁଠାରୁ ବଡ଼ କୁମ୍ଭୀର ଯେଉଁମାନଙ୍କର ଲମ୍ବ ୨୦ରୁ ୨୩ ଫୁଟ।

ଏଥର କୁମ୍ଭୀରମାନଙ୍କର ଗଣନା କାର୍ଯ୍ୟ ଡିସେମ୍ବର ୨୬ ତାରିଖରୁ ଆରମ୍ଭ କରାଯାଇ ଜାନୁଆରି ୪ ତାରିଖରେ ଶେଷ ହୋଇଛି। ଓଡ଼ିଶାର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନିର୍ଦ୍ଦେଶରେ ୨୩ଟି ଦଳ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଦଳମାନେ ଭିତରକନିକାର ମହାକାଳପଡା ରେଞ୍ଜ, ରାଜନଗର ରେଞ୍ଜ, କନିକା ରେଞ୍ଜ ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରିଥିଲେ।

ଏଥର ଗଣନାରେ ମୋଟ ୧ ହଜାର ୫୫୭ଟି କୁମ୍ଭୀର ମିଳିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶ୍ଵର ସବୁଠାରୁ ବଡ କୁମ୍ଭୀର। ଏମାନଙ୍କ ସଂଖ୍ୟା ୪ ରହିଛି। ଏମାନଙ୍କ ଲମ୍ବ ୨୦ରୁ ୨୩ ଫୁଟ। ଏହାଛଡ଼ା ଏଥର ପ୍ରାପ୍ତ ବୟସ୍କ କୁମ୍ଭୀରଙ୍କ ସଂଖ୍ୟା ୩୩୯ ରହିଛି। ୨୦୧୮-୧୯ ମସିହାରେ ଏମାନଙ୍କର ସଂଖ୍ୟା ଥିଲା ୩୨୫। ଅଣପ୍ରାପ୍ତ ବୟସ୍କ କୁମ୍ଭୀର ମାନଙ୍କ ସଂଖ୍ୟା ୧୮୫ ଥିବା ବେଳେ ଶିଶୁ କୁମ୍ଭୀରଙ୍କ ସଂଖ୍ୟା ୨୮୮ ରହିଛି। ସେହିପରି ବର୍ଷିକିୟା କୁମ୍ଭୀର ୩୨୫ଟି ଦେଖିବାକୁ ମିଳିଥିବାବେଳେ ଚଳିତବର୍ଷ ଜନ୍ମ ନେଇଥିବା କୁମ୍ଭୀରଙ୍କ ସଂଖ୍ୟା ୬୨୦ ରହିଛି।

ଏହାଛଡା ଏମାନଙ୍କ ମଧ୍ୟରେ ୧୪ଟି ବିରଳ ଧଳା ପ୍ରଜାତିର କୁମ୍ଭୀର ରହିଥିବା ଜଣାପଡିଛି। ଗତ ବର୍ଷ ଏମାନଙ୍କ ସଂଖ୍ୟା ୧ ହଜାର ୫୪୨ ଥିବାବେଳେ ଚଳିତ ବର୍ଷ ୧୫ ବୃଦ୍ଧି ପାଇ ୧ ହଜାର ୫୫୭ରେ ପହଞ୍ଚିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ। ନଦୀ ଓ ସମୁଦ୍ର ପାଣିର ମିଶ୍ରିତ ଖାରିଆ ପାଣିରେ ଏମାନେ ରହିବାକୁ ପସନ୍ଦ କରିଥାନ୍ତି। ଏହାଛଡ଼ା ଭିତରକନିକା ଏକ ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଛ, କଙ୍କଡ଼ା ଓ ଅନ୍ୟାନ୍ୟ ଜଳ ଓ ସ୍ଥଳଚର ଜୀବଜନ୍ତୁ ମିଳିଥାନ୍ତି। ଭିତରକନିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ନଦୀ ନାଳ ଭରପୁର ଥିବାରୁ ଏହା କୁମ୍ଭୀରମାନଙ୍କର ଉତ୍କୃଷ୍ଟ ଆବାସ ସ୍ଥଳୀ ପାଲଟି ଯାଇଛି।

Comment