ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ୧୨ ଦଫା ଦାବି ନେଇ ବୁଧବାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷର ସମଗ୍ର ଭାରତ ବନ୍ଦ ଡାକରା ଦିଆଯାଇଥିଲା।  ଏହି ବନ୍ଦର ପ୍ରଭାବ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଆଜି ଜିଲ୍ଲାର ୧୧ ଗୋଟି ବ୍ଲକରେ ବିଭିନ୍ନ ସଂଗଠନ ବନ୍ଦ ପାଳନ କରୁଛନ୍ତି। ସେହିପରି ରାୟଗଡ଼ା ସହରର କପିଳାସ ଛକରେ ବିଭିନ୍ନ ସଂଗଠନ ରାସ୍ତାରୋକ କରିବା ସହ  ପିକେଣ୍ଟିଂ କରି ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

ସେହିପରି ଶ୍ରମିକ ସଂଗଠନର ଶତାଧିକ କର୍ମୀ ରେଳ ରୋକ କରିଥିଲେ। ଫଳରେ ରାୟଗଡା ଷ୍ଟେସନ୍ ଦେଇ ଯାତାୟତ କରୁଥିବା କୋରାପୁଟ ଭିଶାଖା ଦି ଏମ୍ ୟୁ ଟ୍ରେନ୍ ଦୀର୍ଘ ସମୟ ଧରି ଅଟକ ରହିଥିଲା । ବନ୍ଦର ପ୍ରଭାବ ରାୟଗଡ଼ା ସହରରେ ପଡ଼ିଥିବା ବେଳେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଥିଲା।

ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନକୁ ବିରୋଧ କରିବା ସହ ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ପରି ୧୨ ଦଫା ନେଇ ଆଜି ବନ୍ଦ ପାଳନ କରାଯାଉଛି । ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଟ୍ରେଡ ୟୁନିୟନର ବନ୍ଦ ଡାକରାରେ ସାମିଲ ହୋଇ ଆଗାମୀ ଦିନରେ ଯଦି ସରକାର ଦାବୀ ନମାନନ୍ତି ତା ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏନଟିୟୁସିର ସାଧାରଣ ସଂପାଦକ ଭବାନୀ ଶଙ୍କର ଜେନା, ସିଟୁ ରାୟଗଡା ଜିଲ୍ଲା ସଭାପତି ଚନ୍ଦନ ହରେନ୍ଦ୍ର ନାଥ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ।

Comment