ଓଡ଼ିଶାଲାଇଭ୍ ବ୍ୟୁରୋ

“ମତେ ନୋବେଲ ପୁରସ୍କାର ମିଳିବା ଉଚିତ୍। କାରଣ ଇରାନ୍ ଉପରେ ଆକ୍ରମଣ କରି ମୁଁ ଆମେରିକ ନାଗରିକଙ୍କୁ ସଠିକ୍ ନ୍ୟାୟ ଦେଇଛି”,ଆମେରିକାରେ ଏକ ନିର୍ବାଚନ ରାଲିରେ ଯୋଗଦେବା ସହ ଏପରି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

୨୦୧୯ ମସିହାରେ ନୋବେଲ ପୁରସ୍କାର ଜିତିଥିବା ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦଙ୍କୁ ଇଙ୍ଗିତ କରି ଟ୍ରମ୍ପ କହିଛନ୍ତି, “ମୁଁ ଗୋଟିଏ ଦେଶକୁ ବଞ୍ଚାଇଛି। ଆଉ ମୁଁ ଶୁଣିଛି ଯେ ଯେଉଁ ଦେଶର ନେତା ତା’ ଦେଶକୁ ବଞ୍ଚାଇଥାଏ ତାକୁ ନୋବେଲ ପୁରସ୍କାର ମିଳିଥାଏ। ତେଣୁ ମୋତେ ମଧ୍ୟ ନୋବେଲ ପୁରସ୍କାର ମିଳିବା ଉଚିତ୍।”କିଛି ଦିନ ତଳେ ଆମେରିକା ଇରାକରେ ଥିବା ବାଗଦାଦ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା। ଏଥିରେ ଇରାନର ସୈନ୍ୟ କମାଣ୍ଡର କାସିମ୍ ସୁଲେମାନୀ ନିହତ ହୋଇଥିଲେ। ତେଣୁ ଏହା ଇରାନକୁ ଯୁଦ୍ଧ ପାଇଁ ଆହ୍ୱାନ ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଏପରିକି ଆମେରିକାକୁ ଏହାର ଉଚିତ୍ ଜବାବ୍ ଦିଆଯିବ ବୋଲି ଇରାନ ସିଧାସିଧା କହିଥିଲା। ଏହାପରେ ଇରାନ୍ ଦୁଇ ଦୁଇ ଥର ଆମେରିକାର ସୈନ୍ୟ କ୍ୟାମ୍ପ ଓ ଏୟାରବେସ୍ ଉପରେ ଆକ୍ରମଣ କରିଥିଲା।  ଆମେରିକା ମଧ୍ୟ ଇରାନ ଉପରେ ନିଜର ଡ୍ରୋନ୍ ଆଟାକ୍ ଜାରି ରଖିଥିଲା।

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ଇରାନ୍ କଦାପି ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇପାରିବ ନାହିଁ। ଏପରିକି ଇରାନ୍ ଆତଙ୍କବାଦର ପ୍ରସାର କରୁଛି ବୋଲି ସିଧାସିଧା କହିଥିଲେ ଡୋନାଲ୍ଡ ଟ୍ରମ୍ପ। ଏହାପରେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହିତ ଯୁଦ୍ଧ ଆଉ ଅଳ୍ପ ବାଟ ବୋଲି ବିଶେଷଜ୍ଞମାନେ କହିବା ଆରମ୍ଭ କରିଦେଇଥିଲେ। ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ ନୋବେଲ ପୁରସ୍କାର ମନ୍ତବ୍ୟ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ କରିଦେଇଛି।

LEAVE A REPLY

Please enter your comment!
Please enter your name here