ଓଡ଼ିଶାଲାଇଭ୍‌ ବ୍ୟୁରୋ  

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଛୋଟ କାନ୍ଧରେ ବଡ଼ ଭାର ବୋହି ଚାଲିଛନ୍ତି ପ୍ରଥମେଶ। ଗୋଟିଏ କାନ୍ଧରେ ଭିନ୍ନକ୍ଷମ ବଡ଼ଭାଇ ଆର କାନ୍ଧରେ ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବାପ ମା’। ସମସ୍ତଙ୍କ ଦାୟିତ୍ଵ ନେଇଛି ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ପ୍ରଥମେଶ। ଭିକ୍ଷାବୃତ୍ତି କରି ନିଜ ଅସହାୟ ପରିବାରର ସହାୟ ହେଉଛି ଏହି ଛୋଟ ପିଲାଟି।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁର ୪୦ ବର୍ଷୀୟ ପବିତ୍ର ବେହେରା। ବିଛଣାରୁ ଉଠିବାକୁ ବଳ ପାଉନି। ଔଷଧ ଖାଇବାକୁ କାଣି କଉଡିଟିଏ ବି ପାଖରେ ନାହିଁ। ଆଣ୍ଠୁଗଣ୍ଠି ରୋଗ ଅଚଳ କରିଦେଇଛି ତାଙ୍କୁ। ଦିନଥିଲା ହସଖୁସିରେ ଉଛୁଳି ପଡୁଥିଲା ପବିତ୍ରଙ୍କ ଛୋଟିଆ ସଂସାର। ଗାଁ ପାଖ ବଡପାଳ ବଜାରରେ ଛୋଟ ଜଳଖିଆ ଦୋକାନଟିଏ କରିଥିଲେ। ଦିନକୁ ଯାହା ରୋଜଗାର ହୁଏ ଚଳିଯାଏ ପରିବାର।

ହଠାତ ତାଙ୍କ ଜୀବନକୁ ପ୍ରବେଶ କଲା ତାଙ୍କର ଏକ ଭିନ୍ନକ୍ଷମ ପୁଅ। ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବାପ ମା’ଙ୍କ ସ୍ନେହ ଶ୍ରଦ୍ଧା କେବେ ପୁଅକୁ ଅଣହେଳା କରେନା। ଏକ ହୁଇଲ୍ ଚେୟାରରେ ଜୁଳୁଜୁଳୁ କରି ଚାହିଁ ଥାଏ ଏହି ନିର୍ବାକ ଶିଶୁଟି। ପରେପରେ ସ୍ତ୍ରୀ ଚମ୍ପାବତୀ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେଲେ। ସ୍ତ୍ରୀର ଚିକିତ୍ସା ପାଇଁ ପବିତ୍ର ନିଜର ଘରଢ଼ିଅ ଖଣ୍ଡିକ ବିକିଦେଇ ଭୂମିହୀନ ହୋଇଗଲେ।

ଏବେ ମୁଣ୍ଡଗୁଞ୍ଜିବା ପାଇଁ ଗାଁର ଏକ ସରକାରୀ ଜମିରେ ଛୋଟ ଚାଳିଆ ତିଆରି କରି ରହୁଛନ୍ତି ପବିତ୍ରଙ୍କ ପରିବାର। ସ୍ତ୍ରୀ’ଙ୍କର ରୋଗ ତ ଭଲ ହେଲାନି ପୁଣି ସେହି ଆଣ୍ଠୁଗଣ୍ଠି ରୋଗରେ ସେ ନିଜେ ଛନ୍ଦି ହୋଇପଡିଲେ। ଏବେ ଘରେ ବଡ଼ ପୁଅ, ସ୍ତ୍ରୀ ଓ ସେ ନିଜେ ରୋଗର ବିଛଣାରେ ପଡ଼ି ମୃତ୍ୟୁର ଦିନ ଗଣୁଛନ୍ତି।

ପବିତ୍ରଙ୍କର ପରିବାରର ଏହି ଦୁର୍ଦ୍ଦିନରେ ଏକମାତ୍ର ସାହାରା ପାଲଟିଛନ୍ତି ତାଙ୍କର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ୮ ବର୍ଷର ପୁଅ ପ୍ରଥମେଶ। ପ୍ରଥମେଶ ଏବେ ଏହି ପରିବାରର ଦାୟିତ୍ଵ ନିଜ କାନ୍ଧକୁ ନେଇଛନ୍ତି। ପାଠପଢା ଏବେ ବନ୍ଦ ହୋଇଗଲାଣି। ଘରେ ରୋଷେଇ କରିବା, ବିଛଣାରେ ପଡ଼ିଥିବା ବାପା ମା’ ଓ ବଡ ଭାଇଙ୍କ ସେବା କରିବା ଭଳି କାର୍ଯ୍ୟ କରି ଏବେ ପରିବାରର ସାହାର ପାଲଟିଛନ୍ତି।

ଏତିକିରେ ଅଟକି ରହିନି ପରିବାରର ଦୁଃଖ। ପରିବାରର ରୋଜଗାର କହିଲେ ସରକାର ୪ ଜଣଙ୍କ ପାଇଁ ଯୋଗାଇ ଦେଉଥିବା ରାସନ ଓ ଭିନ୍ନକ୍ଷମ ବଡଭାଇ ପାଇଁ ୫୦୦ ଟଙ୍କାର ଭତ୍ତା। ମାସକୁ ଯାହା ରାସନ ଚାଉଳ ମିଳେ ତାହାକୁ ବିକ୍ରିକରି ଯାହା ଟଙ୍କା ହୁଏ ସେଥିରେ ଔଷଧ କିଣି ବାପା ମା’ଙ୍କ ପାଟିରେ ଦିଅନ୍ତି ପ୍ରଥମେଶ। ୪ ପ୍ରାଣୀ ପରିବାରଙ୍କ ଦୈନିକ ଆହାର ପାଇଁ ଭିକ୍ଷା ବୃତ୍ତି ଆପଣାଇବା ଛଡା ବାଟ କାହିଁ ? ପ୍ରଥମେଶ ପ୍ରତିଦିନ ବାପା-ମା’ଙ୍କ ପାଇଁ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରିଥାନ୍ତି।

ଏହି ଖବର ପ୍ରସାରିତ ହେବା ପରେ କେତେକ ବଦାନ୍ୟ ବ୍ୟକ୍ତି ଓ ସଙ୍ଗଠନ ଆଠବାଟିଆ ଗାଁରେ ପହଞ୍ଚି ନିଜନିଜର ସ୍ଵଳ୍ପ ସହାୟତା ଯୋଗାଇ ଦେଇଛନ୍ତି। ପ୍ରଥମେଶଙ୍କ ସାରାଜୀବନ ପାଠପଢିବାର ଦାୟିତ୍ଵ ନେବାକୁ ମଧ୍ୟ ହାତ ବଢ଼ାଇଛନ୍ତି କଟକର ଏକ ସ୍ଵେଚ୍ଛାସେବୀ ସଂଗଠନ। ଏହି ଦିଗରେ ସରକାରଙ୍କ ସହାୟତା ମଧ୍ୟ ନିହାତି ଭାବେ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

Comment