ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ସତ୍ତ୍ୱେ ସହଶ୍ର ବର୍ଷର ସହର କଟକରେ ଗୁଡ଼ି ଉଡ଼ା ଅବାଧରେ ଚାଲିଥିବା ଦେଖାଯାଉଛି। ମକର ସଂକ୍ରାନ୍ତି ପର୍ବ ବେଳେ ସାଧାରଣତଃ କଟକରେ ଗୁଡ଼ି ଉଡ଼ାଯାଇଥାଏ। ଏବର୍ଷ ମଧ୍ୟ ଶହ ଶହ ଗୁଡ଼ି ଉଡ଼ୁଥିବା ଆଖିରେ ପଡୁଛି। ତିନି ବର୍ଷ ତଳେ ପ୍ରଶାସନ ପକ୍ଷରୁ ଗୁଡ଼ି ଉଡ଼ା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ ଗୁଡ଼ି ଉଡ଼ା ଚାଲିବାର ମୁଖ୍ୟ କାରଣ ଜିଲ୍ଲା ପ୍ରଶାସନ ଏହାକୁ ହାଲକା ଭାବରେ ନେଇଛି। ସହରର ମୁଖ୍ୟ ସ୍ଥାନ ଓ କୋଠା ଘର ଉପରେ ପିଲା ଓ ଯୁବକମାନେ ଆଇନକୁ ବେଖାତିର କରି ଗୁଡ଼ିର ମଜା ନେଉଥିବା ବେଳେ ଏହା ମଣିଷ ଓ ପଶୁପକ୍ଷୀମାନଙ୍କ ଜୀବନକୁ ବିପଦକୁ ଠେଲି ଦେଇଛି। ପ୍ଲାଷ୍ଟିକ, ସୁତୁଲୀ ଓ ନାଇଲନ ରସି ଉପରେ ଚୀନ ମାଞ୍ଜା ବୋଳାଗୁଡ଼ିର ବିକ୍ରି ଅବାଧରେ ଚାଲିଥିବା ଅଭିଯୋଗ କରିଛନ୍ତି ଲୋକେ।

ନଭେମ୍ବର ୮, ୨୦୧୬ରେ ହାଇକୋର୍ଟ କଟକ ଜିଲ୍ଲା ପ୍ରଶାସନ ଓ ପୋଲିସକୁ  ନିର୍ଦ୍ଦେଶ ଦେଇ ଗୁଡ଼ି ତିଆରି ପାଇଁ ବ୍ୟବହାର ଚୀନ ମାଞ୍ଜା ଓ ଅନ୍ୟ ବିପଦ ଜନକ ସାମଗ୍ରୀର ବିକ୍ରି ଉପରେ ନଜର ରଖିବା ପାଇଁ କହିଥିଲେ। ଏହି ନିର୍ଦ୍ଦେଶ ପରେ କଟକର ସବୁ ପୋଲିସ ଥାନାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇ ଗୁଡ଼ି ବିକ୍ରିକୁ ବନ୍ଦ କରିବା ପାଇଁ କୁହାଯାଇଥିଲା।ଏପରିକି ନିରାପଦ ଗୁଡି ଉଡା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ସହର ର ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା। ତେବେ ଏହି ନିର୍ଦ୍ଦେଶର ଉଲ୍ଲଂଘନ ସହ ଖୋଲାଖୋଲି ଗୁଡ଼ି ବିକ୍ରି ଓ ଉଡ଼ା ଚାଲିଥିବା ଦେଖାଯାଉଛି।

Comment