ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଆ ପରମ୍ପରା ଓ ରୀତିନୀତି ଅନୁସାରେ ଗୁଡ଼ି ଉଡ଼ାଇ ମକର ସଂକ୍ରାନ୍ତି ପାଳନ କରାଯାଇଛି। ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ନିକଟରେ ମକର ଚାଉଳ ଭୋଗ ଲାଗି ହୋଇଥିଲା। ଏହା ପରେ ସେଠାରେ ଉପସ୍ଥିତ ଓଡ଼ିଆମାନେ ମକରଚାଉଳ ସେବନ କରିଥିଲେ।ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବା ପରମ୍ପରା ରହିଥିବାରୁ ବାହାରିନ୍‌ରେ ଅବସ୍ଥାପିତ ଓଡ଼ିଆ ଲୋକମାନଙ୍କ ପକ୍ଷରୁ ଗୁଡ଼ିଉଡା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗୁଡ଼ିଉଡା କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ମଜା ନେଇଥିଲେ।ମକର ସଂକ୍ରାନ୍ତି ଦିନ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ଥିବାରୁ ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ବ୍ୟାସକବିଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଫକିରମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଓଡ଼ିଆ କବିତା ଆବୃତି ଏବଂ ଶ୍ରୀ ଜଗନ୍ନାଥ ପ୍ରାର୍ଥନା ଗୀତ ଆସର ଜମିଥିଲା। ପରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଭଜନ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।“ଏହିପରି ପର୍ବ ଆମମାନଙ୍କ ମନରେ ସକରାତ୍ମକ ଶକ୍ତି ସ୍ରୋତ ପ୍ରବାହ କରିବା ସହିତ ବିଶ୍ଵପ୍ରେମ ଓ ମାନବପ୍ରେମ ପ୍ରସାରିତ କରିଥାଏ। ଏହିପରି ପର୍ବ ପାଳନ ଦ୍ୱାରା ଆମେ ଓଡ଼ିଶାରୁ ଏତେ ଦୂରରେ ଅଛୁ ବୋଲି ଅନୁଭବ ହେଉନାହିଁ”, କହିଥିଲେ ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ।

Comment