ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଅପରାଧୀ ଯାହା ଚାହୁଁଛନ୍ତି ସେୟା ହେଉଛି। ଆମକୁ ଖାଲି ତାରିଖ ପରେ ତାରିଖ ମିଳୁଛି। ଆମ ବ୍ୟବସ୍ଥାରେ ସେୟା ଅଛି ଏଠି କେବଳ ଅପରାଧୀମାନଙ୍କର କଥା ଶୁଣାଯିବ” କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ।

ଶୁକ୍ରବାର ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’। ନିର୍ଭୟାର ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ପାଇଁ ସ୍ଥିର ହୋଇଥିଲା। ହେଲେ ପଟିୟାଲା ହାଉସ୍‌ କୋର୍ଟ ଏହାର ପୁନଃ ତାରିଖ ଘୋଷଣା କରିଛନ୍ତି। ନୂଆ ତାରିଖ ଅନୁସାରେ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ।

ନିର୍ଭୟା ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ଜାନୁଆରି ୭ ତାରିଖରେ ଶୁଣାଣି କରିଥିଲେ ପଟିୟାଲା ହାଉସ୍‌ କୋର୍ଟ। ଏହାପରେ ଦୋଷୀ ବିନୟ ଶର୍ମା ଓ ମୁକେଶ ଫାଶୀରୁ ବଞ୍ଚିବାକୁ କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଥିଲେ। ହେଲେ ଏହାକୁ ଖାରଜ କରିଥିଲେ ସୁପ୍ରିମ କୋର୍ଟ।

ଏହାପରେ ପୁଣି ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ମଧ୍ୟ ଆଜି ରାଷ୍ଟ୍ରପତି ଖାରଜ କରିଛନ୍ତି। ଏହା ଖାରଜ ହେବା ପରେ ଫାଶୀ ତାରିଖକୁ ପୁଣି ଘୁଞ୍ଚା ଯାଇଛି। ଫଳରେ ସମସ୍ତ ଦୋଷୀ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି।  ହେଲେ କୋର୍ଟଙ୍କ ଏହି ପୁନଃ ତାରିଖ ଶୁଣାଣିରେ ଖୁସି ନାହାନ୍ତି ନିର୍ଭୟାଙ୍କ ମା’।

Comment