ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ସକାଳ ସାଢେ଼ ୫ଟାରେ ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ। ଏହି ଘଟଣାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଥିବ। ଏଥିରୁ ଗୋଟିଏ ହେଉଛି ସେମାନଙ୍କ ଶବକୁ କ’ଣ କରାଯିବ? ଶବଗୁଡ଼ିକୁ ସେମାନଙ୍କ ଆତ୍ମୀୟ ସ୍ଵଜନଙ୍କୁ ଦିଆଯିବ ନା ଜେଲ କର୍ତ୍ତୃପକ୍ଷ ସେଗୁଡିକର ଶେଷ ସଂସ୍କାର କରିବେ? କହି ରଖିବା ଉଚିତ ହେବ ଯେ ଫାଶୀ ଦିଆଯିବା ପରେ ଶବକୁ କ’ଣ କରାଯିବ ସେ ନେଇ କିଛି ନିର୍ଦ୍ଦିଷ୍ଟ ନିୟମ ଅଛି।

ଯଦି ଜେଲ ସୁପେରିନଟେଣ୍ଡେଣ୍ଟଙ୍କୁ ଲାଗିବ ଯେ ଘର ଲୋକଙ୍କୁ ଶବ ହସ୍ତାନ୍ତର କଲେ ସମସ୍ୟା ଉପୁଜିବ କିମ୍ବା ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଶବର ଅପବ୍ୟବହାର ହେବ ତେବେ ଜେଲ ଅଧୀକ୍ଷକ ଶବ ଦେବାକୁ ମନା କରିଦେଇ ପାରନ୍ତି। ଅନ୍ୟ ଏକ ବିକଳ୍ପ ହେଉଛି ଜେଲ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଶବକୁ ଦାହ କରିବା। ସିଧା ସଳଖ କହିଲେ, ଶବ ଉପରେ ଜେଲ କର୍ତ୍ତୃପକ୍ଷଙ୍କ ପୂରା ଅଧିକାର ଅଛି ଓ ପରିସ୍ଥିତିକୁ ଚାହିଁ ସେ ନିଷ୍ପତ୍ତି ନିଅନ୍ତି। ତେବେ ନିର୍ଭୟା ଦୋଷୀଙ୍କ ଶବଗୁଡ଼ିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି।

ଶବ ହସ୍ତାନ୍ତର ବେଳେ ମଧ୍ୟ ଅନେକ କିଛି ନିୟମ ମାନିବାକୁ ପଡିଥାଏ। କୌଣସି ଅପରାଧୀଙ୍କୁ ଫାଶୀ ଦିଆଯିବା ପରେ ଡାକ୍ତର ଶବର ଯାଞ୍ଚ କରିବେ ଓ ଜୀବନ ନାହିଁ ବୋଲି କନଫର୍ମ କରିବେ। ତା’ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଜେଲ ମାନୁଏଲ ଅନୁସାରେ ଧର୍ମ ଅନୁଯାୟୀ ଅପରାଧୀଙ୍କ ଶବ ସତ୍କାର କରା ଯାଇଥାଏ।

ଯଦି ଅପରାଧୀଙ୍କ ଶବ ନେବା ପାଇଁ ଲିଖିତ ଦରଖାସ୍ତ ଆସିବ ତେବେ ପରିସ୍ଥିତି ଅନୁଯାୟୀଜେଲ ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବ। ହେଲେ  ଘରର ଲୋକଙ୍କୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ, ଶବକୁ ନେଇ ବିକ୍ଷୋଭ ଆଦି କରାଯିବ ନାହିଁ। ଜେଲ ମାନୁଏଲ କହୁଛି ଯେ, ପୂରା ସମ୍ମାନର ସହ ଶବ ଗୁଡ଼ିକୁ ଜେଲରୁ ବାହାର କରାଯିବ।ତା ପରେ ଶବର ଅନ୍ତିମ ସ୍ଥଳ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ।ଜେଲରୁ ବାହାରିବାଠାରୁ ଅନ୍ତିମ ସଂସ୍କାର ଯାଏଁ ଯାହା ଖର୍ଚ୍ଚ ହେବ ସେସବୁ ଜେଲ କର୍ତ୍ତୃପକ୍ଷ ବହନ କରିବେ।

ଏଭଳି ବି ହୋଇ ପାରେ ପରିବାର ବର୍ଗ ଶବକୁ ନେବା ପାଇଁ ମନା କରିଦେଇ ପାରନ୍ତି।ରଙ୍ଗା-ବିଲ୍ଲା ମାମଲାରେ ଠିକ ଏୟା ହୋଇଥିଲା।ପରିବାର ପକ୍ଷରୁ ଶବ ନେବା ପାଇଁ ମନା କରି ଦେବାରୁ ଜେଲ କର୍ତ୍ତୃପକ୍ଷ ସେ ଦୁଇ ଜଣଙ୍କର ଶେଷ ସଂସ୍କାର କରିଥିଲେ।

Comment