ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ସମସ୍ୟା ଯୋଗୁଁ ପୁଅକୁ ଦାଦାନ କାମ ପାଇଁ ବିଶାଖାପାଟଣା ପଠାଇଥିଲେ ପରିବାର ଲୋକ, ହେଲେ ୪ ବର୍ଷ ହୋଇଯିବ ଘରକୁ ଫେରୁନି ପୁଅ।

ଦାଦନ ଖଟି ଯାଇଥିଲା ପୁଅ। ପ୍ଲାଏଉଡ୍ ଫ୍ୟାକ୍ଟ୍ରିରେ ମିଳିଥିଲା କାମ। ମାସକୁ ୮ ହଜାର ଟଙ୍କା ରୋଜଗାର କରିବ। ପରିବାର ଅଭାବ ମେଣ୍ଟିବ। ପ୍ଲାଏଉଡ୍ ଠିକାଦାରର କଥାରେ ବାପ ମା’, ପୁଅକୁ ପଠାଇ ଦେଇଥିଲେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା। ହେଲେ ୪ ବର୍ଷ ହୋଇଗଲାଣି ପୁଅ ଫେରୁନି ମା’ କୋଳକୁ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିଳକଣ୍ଠପୁର ଅଞ୍ଚଳରେ।

ଅଭାବି ସଂସାରରେ ଦାରିଦ୍ର୍ୟର ବୋଝ। ୭ ପ୍ରାଣୀ କୁଟୁମ୍ବ ଚଳାଇବା ରବିନ୍ଦ୍ରଙ୍କ ପକ୍ଷେ ସମ୍ଭବ ହେଉନଥିଲା। ସେଥିପାଇଁ ପୁଅକୁ ପାଠ ପଢ଼େଇ ପାରିଲେନି ରବିନ୍ଦ୍ର। ତଥାପି ମେଣ୍ଟିଲାନି ଘର ଚଳାଇବାର ଖର୍ଚ୍ଚ। ପୁଣି ଘରେ ବଢ଼ିଲା ଝିଅର ବୋଝ। ବାହାଦେବାକୁ ପାଖରେ ଟଙ୍କାଟିଏ ବି ନଥିଲା।

ଗାଁର ସୁକାନ୍ତ ନାୟକଙ୍କ ସହିତ ନିଜ ଦୁଃଖ କଥା ହେଉ ହେଉ ପୁଅ ସନ୍ତୋଷକୁ ଏକ ପ୍ଲାଏଉଡ୍ କାରଖାନାରେ କାମ ଯୋଗାଡ଼ କରିଦେବାର ଭରସା ପାଇଥିଲେ ରବିନ୍ଦ୍ର ସାହୁ। ପୁଅ ବିଦେଶ ଯିବ। ଦି ପଇସା ରୋଜଗାର କରିବ। ପରିବାରର ଦୁଃଖ ଘୁଞ୍ଚିବ। ଏନେଇ ପରିବାର ସହ ଆଲୋଚନା ପରେ ସମସ୍ତେ ସହମତି ହୋଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଜୟନଗର ଗାଁର ଶୁଭେନ୍ଦୁ ପରିଡ଼ା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ପ୍ଲାଏଉଡ୍ ଫ୍ୟାକ୍ଟ୍ରିରେ ଶ୍ରମିକ ଠିକାଦାର ଭାବେ କାମ କରନ୍ତି। ଶୁଭେନ୍ଦୁଙ୍କ ସହିତ ଯୋଗାଯୋଗ କରି ଗାଁର ସୁକାନ୍ତ ନାୟକ ସନ୍ତୋଷଙ୍କ ବିଶାଖାପପାଟଣା ଯିବା କଥା କହିଥିଲେ।

୨୦୧୬ ମେ ମାସ ୧୧ ତାରିଖରେ ସନ୍ତୋଷ ରାଜକନିକା ଥାନା ଜୟନଗର ଗାଁର ଶୁଭେନ୍ଦୁ ପରିଡ଼ାଙ୍କ ସହିତ ଡିଏମ୍‌ୟୁ ଟ୍ରେନରେ କଟକ ରେଳ ଷ୍ଟେସନରୁ ବିଶାଖାପପାଟଣା ବାହାରି ଯାଇଥିଲେ। ୧୨ ତାରିଖରେ ଶ୍ରମିକ ଠିକାଦାର ଶୁଭେନ୍ଦୁ ପରିଡ଼ା ସନ୍ତୋଷଙ୍କ ଘରକୁ ଫୋନକରି ଖବର ଦେଇଥିଲେ କି ଟ୍ରେନରେ ଆସୁଥିବି ବେଳେ ସନ୍ତୋଷଙ୍କ ପତ୍ତା ମିଳୁନି।

ବ୍ରହ୍ମପୁର ରେଳ ଷ୍ଟେସନଠାରୁ ସେ ସନ୍ତୋଷଙ୍କୁ ଖୋଜି ପାଉନାହାନ୍ତି ବୋଲି ଦୁଇଦିନ ପରେ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକଙ୍କ ଉପରେ ଚଡ଼କ ପଡ଼ିଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି କି କଟକରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବାକୁ କ’ଣ ଡିଏମ୍‌ୟୁକୁ ଦୁଇଦିନ ଲାଗିଲା? ଯେଉଁଦିନ ସନ୍ତୋଷ ନିଖୋଜ ହେଲା ସେ ଶୁଭେନ୍ଦୁ କ’ଣ ପାଇଁ ସେଦିନ ଖବର ଦେଲାନି ଏଭଳି କିଛି ପ୍ରଶ୍ନ ପରିବାର ଲୋକଙ୍କୁ ସନ୍ଦେହ ଘେରରେ ପକାଇଥିଲା।

ବାସ୍, ଏତିକି ଖବର ଦେଇ ସେଦିନଠୁ ଚୁପ୍‌ ହୋଇ ବସିଗଲା ଶ୍ରମିକ ଠିକାଦାର ଶୁଭେନ୍ଦୁ। ସେବେଠୁ ସନ୍ତୋଷଙ୍କ ପରିବାର ଲୋକ ତାକୁ ଖୋଜୁଛନ୍ତି। ହେଲେ ସନ୍ତୋଷ ପତ୍ତା ମିଳୁନାହିଁ। ନିଜ ଥାନା ପଟ୍ଟାମୁଣ୍ଡାଇଠାରୁ ଜିଲ୍ଲାପାଳ ଓ ଏସପିଙ୍କ ପର୍ଯ୍ୟନ୍ତ ଯାଇ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳି ପାରିନାହିଁ।

ସନ୍ତୋଷକୁ ଠିକାଦାର ନେଇ କେଉଁଠି ବିକି ଦେଇନି ତ? ଠିକାଦାର ତାଙ୍କ ପୁଅକୁ କେଉଁଠି କଠିନ କାମରେ ନିୟୋଜିତ କରି ନଜର ବନ୍ଦିରେ ରଖିନାହିଁ ତ? ତାକୁ କେହି ହତ୍ୟା କରିନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ୪ ବର୍ଷ ହୋଇଯିବ ପରିବାର ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି।

Comment