ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ୫ ଦିନରେ ମଲେଣି ୭ ମଇଁଷି। ଏନେଇ ଆତଙ୍କିତ ଅଛନ୍ତି ମଇଁଷି ଚାଷୀ। ପୂର୍ବରୁ ମଇଁଷି ମୃତ୍ୟୁ ନେଇ ଚାଷୀମାନେ ଏନେଇ ସ୍ଥାନୀୟ ପଶୁ ବିଭାଗକୁ ଖବର ଦେଇଥିଲେ, ହେଲେ ଡାକ୍ତର ଆସି ନଥିଲେ। ୭ଟି ମଇଁଷିଙ୍କ ମୃତ୍ୟୁ ପରେ ଆଜି ଗାଁରେ ପହଞ୍ଚିଛି ଜିଲ୍ଲା ପଶୁ ସମ୍ପଦ ବିଭାଗ।
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ତାରଡ଼ ଗାଁରେ ଏବେ ମଇଁଷି ଚାଷୀମାନଙ୍କ ଭିତରେ ଭାଳେଣି ପଡ଼ିଛି। ଗାଁର ଅଧିକାଂଶ ଲୋକେ ମଇଁଷି ପାଳନକରି ପରିବାର ପୋଷନ୍ତି। ଏଭଳି ୫ ଦିନରେ ୭ ମଇଁଷିଙ୍କ ମୃତ୍ୟୁ ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ମଇଁଷି ଚାଷୀ। ମୃତ ମଇଁଷିଙ୍କ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଚାଷୀମାନେ କହିଛନ୍ତି।

ମଇଁଷି ଚାଷୀମାନଙ୍କ ଅଭିଯୋଗ ଯେ ନିକଟରେ ଥିବା ଗରଦପୁର ବ୍ଲକର ପଶୁ ଡାକ୍ତରଙ୍କୁ ସେମାନେ ଅନେକ ଥର ଖବର ଦେଇଥିବା ବେଳେ ଡାକ୍ତର ନଆସିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଆଜି କୌଣସି ସୁତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲା ପଶୁ ସମ୍ପଦ ବିଭାଗୀୟ ଅଧିକାରୀମାନେ ତାରଡ଼ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
ଆସନ୍ତାକାଲି ସମସ୍ତ ମଇଁଷିମାନଙ୍କୁ ସାହାଣ ଟୀକା ଦିଆଯିବାକୁ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହାଛଡ଼ା ରୋଗରେ ପୀଡ଼ିତ ମଇଁଷିମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ପଶୁ ଡାକ୍ତର।

















