ଓଡ଼ିଶାଲାଇଭ୍ ବିଜିନେସ ବ୍ୟୁରୋ
କୃଷି ଓଡ଼ିଶାର ଉଦ୍ଯାପନୀ ଦିବସରେ କୃଷି ଉଦ୍ୟୋଗୀ ତଥା କୃଷି ଷ୍ଟାଟ୍-ଅପ୍ମାନଙ୍କ ସହ ଆଲୋଚନା।
“ଓଡ଼ିଶାର ସଫଳ ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ ହେବେ ରାଜ୍ୟ କୃଷି ବିଭାଗର ବ୍ରାଣ୍ଡ୍ ଆମ୍ବାସଡର। କୃଷିର ବିକାଶକୁ ନେଇ ସେମାନେ ଆମକୁ ଉପଦେଶ ଦେବେ। ଏଥିସହିତ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉନ୍ନତମାନର ଚାଷ ଶୈଳୀ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ” ‘କୃଷି ଓଡ଼ିଶା ୨୦୨୦’ କାର୍ଯ୍ୟକ୍ରମରେ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।
‘ଲାଭଜନକ କୃଷି ପାଇଁ ପ୍ରୟାସ’ ଏହି ଥିମ୍କୁ ନେଇ ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
‘କୃଷି ଓଡ଼ିଶା-୨୦୨୦’ ଶେଷ ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ କୃଷି ଉଦ୍ୟୋଗୀ ଏବଂ ଷ୍ଟାଟ୍-ଅପ୍ମାନଙ୍କୁ ନେଇ ‘ଏଣ୍ଟରପ୍ରିନ୍ୟୁର ଆଣ୍ଡ୍ ଷ୍ଟାଟ୍-ଅପ୍ ମିଟ୍’ ନାମକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ଉଚ୍ଚ ଶିକ୍ଷିତ ସଫଳ କୃଷି ଉଦ୍ୟୋଗୀ ଏବଂ ଷ୍ଟାଟ୍-ଅପ୍ମାନେ ଯୋଗ ଦେଇ ଓଡ଼ିଶାର କୃଷି କିଭଳି ଅଗ୍ରଗତି କରିପାରିବ ତା’ଉପରେ କଥା ରଖିଥିଲେ।
ଏହି ଅବସରରେ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଥିଲେ, “ସାରା ବିଶ୍ୱରେ ଆଜି ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଛି। ହେଲେ ଯେଉଁ ଦେଶ କୃଷି କ୍ଷେତ୍ରରେ ଆଗୁଆ ରହିଛି, ତାହା ଉପରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିନାହିଁ ବା କମ୍ ଅଛି। ବିକଶିତ ଦେଶଗୁଡ଼ିକରେ କୃଷିର ପ୍ରାଧାନ୍ୟ ରହିଛି। ତେଣୁ ଆମ ଦେଶରେ କୃଷିକୁ ଗୁରୁତ୍ୱ ଦେଲେ ଆମ ଅର୍ଥନୀତି ମଧ୍ୟ ସୁଧୁରିବ। ‘କୃଷି ଓଡ଼ିଶା’ର ଲକ୍ଷ୍ୟ ହେଉଛି ଓଡ଼ିଶାରେ ଲାଭଜନକ ଚାଷ ପାଇଁ ଚାଷୀଙ୍କୁ ବାର୍ତ୍ତା ଦେବେ। ଏହାସହ ଆଉ କ’ଣ କଲେ କୃଷି କ୍ଷେତ୍ରରେ ଓଡ଼ିଶା ସାରା ଭାରତର ନେତୃତ୍ୱ ନେବ ସେ ଦିଗରେ ବାଟ କାଢ଼ିବା।”
ସେହିପରି ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣା କରିବା ଆମର ଲକ୍ଷ୍ୟ ରହିଛି। ଓଡ଼ିଶାର କୃଷିରେ ଯୁବ ଶିଳ୍ପ ଉଦ୍ୟୋଗୀଙ୍କ ଯୋଗଦାନ ଏବଂ ପାରମ୍ପରିକ ଚାଷ ଅପେକ୍ଷା ଲାଭଜନକ ଚାଷକୁ ଗୁରୁତ୍ୱ ଦେବା ବିଷୟରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ କୃଷି ଶିଳ୍ପ ଉଦ୍ୟୋଗୀ(ଏଣ୍ଟରପ୍ରିନ୍ୟୁଅର) ଏବଂ ଷ୍ଟାଟ୍-ଅପ୍ମାନେ ଯୋଗ ଦେଇଥିଲେ।
“ବର୍ତ୍ତମାନ ଚାଷୀଙ୍କ ବଡ଼ ସମସ୍ୟା ହେଉଛି ବଜାର ସହ ଯୋଡ଼ି ହେବା(ମାର୍କେଟ୍ ଲିଙ୍କେଜ୍)। ରାସ୍ତାକଡ଼ରେ ବିକୁଥିବା ଚାଷୀକୁ ଲୋକେ ମୂଲଚାଲ କରନ୍ତି, ହେଲେ ସପିଂ ମଲ୍ରେ ତାହାକୁ ଅଧିକ ଦରରେ କିଣନ୍ତି। ଚାଷୀ କୌଣସି ବ୍ରାଣ୍ଡ୍ ତିଆରି କରିପାରୁନଥିବାରୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଆମେ ‘ଭିଲାମାର୍ଟ’ ନାମକ ଏକ ବ୍ରାଣ୍ଡ୍ ଆରମ୍ଭ କରିଛୁ। ଆମେ ଚାଷୀଙ୍କଠାରୁ ପନିପରିବା ଆଣି ଠିକ୍ ଦାମ୍ରେ ଲୋକଙ୍କମାଖରେ ପହଞ୍ଚଉଛୁ। ଆମ ଗାଡ଼ି ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପରିବା ତଥା ଗ୍ରୋସରି ଜିନିଷ ପହଞ୍ଚାଇପାରୁଛି। ସେହିପରି ସହର ପାଇଁ ଆମେ ବିଭିନ୍ନ ଆଉଟ୍ଲେଟ୍ ଖୋଲିଛୁ” ଆଇଆଟି ଖଡଗପୁରରୁ ପାସ୍ କରିଥିବା ଯୁବ ଷ୍ଟାଟ୍-ଅପ୍ ରମେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି।
ଏହାକୁ ବାଦ୍ ଦେଲେ ରମେଶ ଫୁଡ୍ ଷ୍ଟୋରେଜ୍, ଖାଦ୍ୟ ନଷ୍ଟରୁ ବଞ୍ଚିବା ଏବଂ ଚାଷୀ ଏବଂ ଖାଉଟିଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ଥିବା ମଧ୍ୟସ୍ଥିକୁ କମ୍ କରିବା ଦିଗରେ କାମ କରୁଛନ୍ତି।
ଭଲ ଫସଲ ପାଇଁ ଉନ୍ନତମାନର ଜୈବିକ ସାରା ପ୍ରସ୍ତୁତ କରୁଛି ଓଡ଼ିଶାର ଆଗ୍ରିସୋଲ୍ ଅର୍ଗାନିକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଷ୍ଟାଟ୍-ଅପ୍ କମ୍ପାନି। ଏହାକୁ ଆରମ୍ଭ କରିଛନ୍ତି ମହିଳା କୃଷି ଶିଳ୍ପ ଉଦ୍ୟୋଗୀ ସ୍ନିଗ୍ଧା ରାଣୀ ପାତ୍ର। କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “କୃଷି ଶିଳ୍ପ କ୍ଷେତ୍ରରେ ଯୁବପିଢ଼ି ବା ଆଗ୍ରିକଲ୍ଚର ଛାତ୍ରଛାତ୍ରୀଙ୍କ ଯୋଗଦାନ ବେଶ୍ ଜରୁରୀ। ଆଜିକାଲିର ଯୁବପିଢ଼ି ଦରମାକୁ ଆଖି ଆଗରେ ରଖି କାମ କରୁଛନ୍ତି। ଛାତ୍ରଛାତ୍ରୀମାନେ କୃଷି ଶିଳ୍ପ ଉଦ୍ୟୋଗରେ ଯୋଗ ଦେଲେ ରାଜ୍ୟର କୃଷିର ଆହୁରି ଅଗ୍ରଗତି ହୋଇପାରିବ।”
“ଓଡ଼ିଶାରେ ଚାଷୀମାନଙ୍କ ଦୁଇଟି ସମସ୍ୟା ରହିଛି। ପ୍ରଥମଟି ହେଲା ମାର୍କେଟିଂ ଏବଂ ଅନ୍ୟଟି ହେଲା ପାରମ୍ପରିକ ହାଇବ୍ରିଡ୍ ଫସଲକୁ ବେଶି ପ୍ରାଧାନ୍ୟ। ଓଡ଼ିଶାରେ ସ୍ୱର୍ଣ୍ଣ, ପୂଜା, ମସୁରି ଆଦି ପରମ୍ପରିକ ଫସଲର ଚାହିଦା ଓଡ଼ିଶା ବାହାରେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆମେ ବିଭିନ୍ନ ଫସଲର ଉନ୍ନତମାନର ଚାରା ଚାଷୀଙ୍କୁ ଯୋଗାଇଦେଉଛୁ। ଏହା ସହ ଫସଲକୁ ଆମ ବ୍ରାଣ୍ଡ୍ ‘ଅର୍ଗାନିକ ଉତ୍ପନା’ ଅଧିନରେ ବଜାରରେ ମଧ୍ୟ ବିକ୍ରି କରୁଛୁ” ଆଇଟି କନ୍ସଲଟାଣ୍ଟରୁ କୃଷି ଉଦ୍ୟୋଗ ‘ଅର୍ଗାନିକ ଉତ୍ପନା’ କମ୍ପାନି ଆରମ୍ଭ କରିଥିବା ଜ୍ଞାନରଞ୍ଜନ ତ୍ରିପାଠୀ କହିଛନ୍ତି।
କୃଷି ଓଡ଼ିଶା-୨୦୨୦ର ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଏନ୍ ତିରୁମାଲା ନାଏକ, କମିସନର ଓ ସଚିବ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆର୍. ରଘୁପ୍ରସାଦ, କୃଷି ଏବଂ ଉତ୍ପାଦନର ନିର୍ଦ୍ଦେଶକ ଏମ୍. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ।