ଓଡ଼ିଶାଲାଇଭ୍ ବ୍ୟୁରୋ

  • କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ
  • ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷକ ଓଡ଼ିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ
  • ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ ହେବେ
  • କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ଼ ଆଶା – ମୁଖ୍ୟମନ୍ତ୍ରୀ

୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷି କର୍ମଚାରୀମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ ଏବଂ ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକ ଓଡ଼ିଶା କାର୍ଯ୍ୟକ୍ରମରେ ୭୬ ଲକ୍ଷ ଚାଷୀ ଭାଇଭଉଣୀମାନଙ୍କ ଡାଟାବେଶ ରଖାଯିବା ବହୁତ ଭଲ ଉଦ୍ୟମ। ଏଥିରେ ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ। ଏହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

ଏହି ଡାଟାବେସ୍‌ର ଯାଞ୍ଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାଦ୍ୱାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତିଶୀଘ୍ର ପାଇପାରିବେ। କୃଷକ ଭାଇଭଉଣୀ ନିଜ କାମ ଛାଡ଼ି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବନି। ସେମାନେ ଘରେ ରହି ଅନ୍‌ଲାଇନ ଜରିଆରେ ସବୁ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଇ-ଲାଇସେନ୍‌ସ ପ୍ରଦାନ ସହିତ ୬ଟି ଅନ୍‌ଲାଇନ ସେବା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ ସାର୍ଟିଫିକେଟ ଓ ମାର୍କସିଟ୍‌ ଆଦି ୯ଟି ସେବା କାର୍ଯ୍ୟକ୍ରମ ମଧ୍ୟ ଶୁଭାରମ୍ଭ କରିଥିଲେ।

ଏଥିସହ ନୂଆପଡ଼ା ଓ ଗଞ୍ଜାମ ଜିଲ୍ଲାର ଦକ୍ଷ କର୍ମଚାରୀ ଓ କୃଷକ ସରକାରୀ ଯୋଜନାର ସଫଳ ପରିଚାଳନା ସଂପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆମ କୃଷି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ମୋବାଇଲ ଫୋନରେ କୃଷିଭିତ୍ତିକ ପରାମର୍ଶ ସେବା ପ୍ରଦାନ କରାଯାଉଛି। ୨୦୧୮ ମସିହାରେ ମାତ୍ର ୫୦ ହଜାର ଚାଷୀଙ୍କୁ ଧାନ ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ୧୦ ଲକ୍ଷ ଚାଷୀଙ୍କୁ ୧୫ ଗୋଟି ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି ବୋଲି କୁହାଯାଇଛି।ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ କୃଷି ବିଭାଗ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି। ୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ଅନୁପାଳନ କରୁଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗର ଅନ୍‌ଲାଇନ ସେବା, ଦକ୍ଷତା କାର୍ଯ୍ୟକ୍ରମ, ଆମ କୃଷି ଆଦି ସଂପର୍କରେ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହିତ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଓୟୁଏଟିର କୁଳପତି, ସମବାୟ ବିଭାଗର କମିସନର ତଥା ଶାସନ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Comment