ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି।
ଚାଷ କ୍ଷେତ୍ରରେ ସଫଳତା ପାଇବା ପାଇଁ ଚାଷୀମାନଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଥିଲା। ହେଲେ ସେହି କାମକୁ ଆଜି ସରଳ କରିଛି ଉନ୍ନତମାନର ନୂଆ ଜ୍ଞାନ କୌଶଳରେ ତିଆରି ହୋଇଥିବା କୃଷି ଯନ୍ତ୍ରପାତି। ବିଶେଷକରି ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବା ପାଇଁ ଚଳିତ ‘କୃଷି ଓଡ଼ିଶା’ରେ ନୂଆ ନୂଆ କୃଷି ଯନ୍ତ୍ରପାତିର ଚମକ ଦେଖିବାକୁ ମିଳିଥିଲା।
ଯେଉଁମାନେ ଚାଷ କାମରୁ ଦିନେ ମୁହଁ ଫେରାଇ ନେଉଥିଲେ ସେମାନଙ୍କୁ କୃଷି କ୍ଷେତ୍ରକୁ ଫେରାଇ ଆଣିବା ପାଇଁ ଏହି ନୂଆ କୃଷି ଯନ୍ତ୍ରପାତି ବାଟ ଖୋଲିଛି। ଭୁବନେଶ୍ୱର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିବା କୃଷି ମହୋତ୍ସବରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଯନ୍ତ୍ରପାତି ଚାଷୀଙ୍କୁ ଆକର୍ଷିତ କରିଥିଲା।
ଜମି ହଳ କରିବାଠୁ ନେଇ ଧାନରୁ ଚାଉଳ ବାହାରିବା ପର୍ଯ୍ୟନ୍ତ ସବୁଥିରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି। ‘କୃଷି ଓଡ଼ିଶା’ରେ ଏହି ପ୍ରଦର୍ଶନକୁ ଦେଖି ଏହାର ପ୍ରୟୋଗ କରିବା ପାଇଁ ଚାଷୀ ଆଗ୍ରହ ଦେଖାଉଛନ୍ତି।
ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଆଜି ବଜାରରେ ସୁବିଧାରେ ମିଳୁଛି। ଏସବୁ କିଣିବା ପାଇଁ ସରକାର ବିଭିନ୍ନ ପ୍ରକାର ସହାୟତା ଓ ସବ୍ସିଡ୍ ଦେଇଥିବାରୁ ଚାଷୀଙ୍କ ପାଇଁ ଏହା ଆଉ ଅପହଞ୍ଚ ହୋଇ ରହିନାହିଁ।
ଡ୍ରୋନ୍ ସିଞ୍ଚୁଛି କୀଟନାଶକ
ଶସ୍ୟ ଓ ପନିପରିବା ଆଦି ଚାଷ କରୁଥିବା ଚାଷୀମାନଙ୍କ ପାଇଁ ରୋଗପୋକ ପରିଚାଳନା ଅନେକ ସମୟରେ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ତା’ ଛଡ଼ା ଫସଲରେ କୀଟନାଶକ ସିଞ୍ଚନ ବେଳେ ଅନେକ ଚାଷୀଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି। ବଡ଼ ଚାଷ ଜମିରେ କୀଟନାଶକ ସିଞ୍ଚନ ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ତାମିଲନାଡୁର ୧୮ ଜଣ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ନିର୍ମିତ ହୋଇଛି ଡ୍ରୋନ୍ ସ୍ପ୍ରିଙ୍କ୍ଲର।
ଏଣିକି କୀଟନାଶକ ସିଞ୍ଚନ ପାଇଁ ଚାଷୀଙ୍କୁ ଆଉ ଜମି ମଧ୍ୟକୁ ଯିବାକୁ ପଡ଼ିବ ନାହିଁ। ଚାଷୀ ବାହାରେ ଛିଡ଼ା ହୋଇ ଏକ ସ୍ପ୍ରିଙ୍କ୍ଲର ଡ୍ରୋନ୍ ମାଧ୍ୟମରେ ମାତ୍ର ୧୫ ମିନିଟ୍ ମଧ୍ୟରେ ୧ ଏକର ଜମିରେ କୀଟନାଶକ ସିଞ୍ଚନ କରିପାରିବ।
ଏହି ସ୍ପ୍ରିଙ୍କ୍ଲର ଡ୍ରୋନ୍ ନିର୍ମାଣ କରିଥିବା ଇଞ୍ଜିନିୟର ଲୋକେଶ କେ କହିଛନ୍ତି, ‘‘ଏଥିରେ ଏକକାଳୀନ ୧୦ ଲିଟର କୀଟନାଶକ ପାଣି ଭରିବା ପାଇଁ ଏକ ଡ୍ରମ୍ ରହିଛି। ଏହା ସହିତ ଡ୍ରୋନରେ ଜିପିଏସ୍, ସେନ୍ସର ଓ କ୍ୟାମେରା ବ୍ୟବସ୍ଥା ରହିଛି। ତେଣୁ ମୋବାଇଲ୍ ଆପ୍ ଜରିଆରେ ରିମୋଟ୍ ମାଧ୍ୟମରେ ଏହାକୁ ଚଳାଇବା ପାଇଁ ଜଣେ ଅତି କମ୍ ସମୟ ମଧ୍ୟରେ ଶିଖିପାରିବ।’’
ସ୍ପ୍ରିଙ୍କ୍ଲର ଡ୍ରୋନର ଦାମ୍ ରହିଛି ୩ ଲକ୍ଷ ୮୫ ହଜାର ଟଙ୍କା। ଏହା କିଣିବା ପାଇଁ ରାଜ୍ୟ ସରକାର ସବ୍ସିଡ୍ ଯୋଗାଇ ଦେଲେ ଚାଷୀମାନେ ଉପକୃତ ହୋଇ ପାରନ୍ତେ ବୋଲି ଲୋକେଶ କହିଛନ୍ତି।
ତାଙ୍କ କହିବା ଅନୁଯାୟୀ ବ୍ୟାଟେରି ପୂରା ଚାର୍ଜ ହେଲେ ସ୍ପ୍ରିଙ୍କଲ୍ର ଡ୍ରୋନ୍ ଅତିକମରେ ୫୦ ମିନିଟ୍ ଚାଲେ। ତେଣୁ ଗୋଟିଏ ବ୍ୟାଟେରି ବ୍ୟବହାର କରି ଜଣେ ଘଣ୍ଟାଏ ମଧ୍ୟରେ ୩ ଏକରରୁ ଅଧିକ ଜମିରେ କୀଟନାଶକ ସିଞ୍ଚନ କରିପାରିବ।
ଲୋକେଶଙ୍କ ସହଯୋଗୀ ଇଞ୍ଜିନିୟର ହରିହରନ କହିଛନ୍ତି, ‘‘ଏହି ଡ୍ରୋନ୍ ୧୫୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଯାଇପାରିବ ଏବଂ ୨ କିଲୋମିଟର ପରିଧି ଅଞ୍ଚଳରେ ଏହାକୁ ରିମୋଟ୍ ମାଧ୍ୟମରେ ନିୟନ୍ତ୍ରଣ କରିହେବ। ତାମିଲନାଡ଼ୁର ୧୦ରୁ ଅଧିକ ଗାଁରେ ଚାଷୀମାନେ ଏହାକୁ ଆପଣାଇଛନ୍ତି। ତାମିଲନାଡ଼ୁ ସରକାର ଏହାକୁ ଅନୁମୋଦନ ଦେଇଛନ୍ତି।’’
“ମୁଁ ଏକ ଚାଷୀ ପରିବାରରୁ ଆସିଛି। ତେଣୁ କୀଟନାଶକ ପ୍ରୟୋଗ ବେଳେ ମୋ ପରିବାର ଲୋକେ ବିଭିନ୍ନ ରୋଗର ଶିକାର ହେବା ମୁଁ ଦେଖିଛି। ତେଣୁ ଏହାର ସମାଧାନ ପାଇଁ କିଛି ନୂଆ ସୃଷ୍ଟି କରିବାର ଚିନ୍ତା ମୋ’ ମନକୁ ପିଲାବେଳୁ ଆସିଥିଲା। ଏଇ କିଛି ବର୍ଷ ତଳେ କିଛି ଛାତ୍ରଛାତ୍ରୀଙ୍କ ସହଯୋଗରେ ଆମେ ଏହାକୁ ତିଆରି କରିବାକୁ ସକ୍ଷମ ହେଲୁ”, କହିଛନ୍ତି ଲୋକେଶ।
ଏବେ ‘ବ୍ଲୁମ୍’ ଆପ୍ ଜରିଆରେ ସ୍ପ୍ରିଙ୍କ୍ଲର ଡ୍ରୋନ ଓଡ଼ିଶା ବଜାରକୁ ପ୍ରବେଶ କରିଛି ବୋଲି ଏହାର ପାର୍ଟନରସିପ୍ ମ୍ୟାନେଜର ସଂଗୀତା ବେଉରା କହିଛନ୍ତି। ଏହି ଡ୍ରୋନ୍ ଉପରେ ୧ ବର୍ଷର ୱାରେଣ୍ଟି ରହିଛି। ଡ୍ରୋନର କୌଣସି ଅଂଶ ଖରାପ ହେଲେ ତାହାକୁ ବଦଳାଯାଇ ପାରିବ ବୋଲି ବ୍ଲୁମ୍ର ବିଜିନେସ୍ ଡେଭଲପମେଣ୍ଟ ମ୍ୟାନେଜର ଅମିତ ପ୍ରକାଶ ବେହେରା କହିଛନ୍ତି।
ଏବେ ଘରେ ପେଷିହେବ ଧାନ
ଧାନ ଉଁସେଇବା ପରେ ଏହା ପେଷିବାକୁ ଚାଷୀମାନଙ୍କୁ ଧାନ କଳ ଯାଏଁ ଯିବାକୁ ପଡ଼େ। ଏବେ ଅଳ୍ପ ଖର୍ଚ୍ଚରେ ଏହି ସମସ୍ୟା ଦୂର ହୋଇପାରିବ। କ୍ଷୁଦ୍ର ଧାନ ମିଲ୍ ମେସିନ୍ ଧାନ ପେଷିବା ଝିନଝଟରୁ ମୁକ୍ତି ଦେବ। ଆପଣ ଯେଉଁ ମୁହୂର୍ତ୍ତରେ ଚାହିଁବେ ଘରେ ଧାନ ପେଷିପାରିବେ।
ଆର କେ ମାନୁଫାକ୍ଚର୍ସ ପକ୍ଷରୁ ଧାନ, ଗହମ, ହଳଦୀ, ମକା, କଫି, ମାଣ୍ଡିଆ ଆଦି ପେଷିବା ପାଇଁ ମେସିନ୍ ପ୍ରସ୍ତୁତ କରାଯାଇଛି। ଧାନ ମିଲ୍ ସ୍ଥାପନ ପାଇଁ ମାତ୍ର ୩୦ ହଜାର ଟଙ୍କାରେ ଏହି ସୁବିଧା ମିଳୁଛି। ମେସିନର ଦାମ ୬୦ ହଜାର ଟଙ୍କା। ତେବେ ଏହା କିଣିବା ପାଇଁ ସରକାର ୨୦ରୁ ୩୦ ହଜାର ଟଙ୍କାର ରିହାତି ବା ସବସିଡ୍ ଯୋଗାଇ ଦେଉଛନ୍ତି।
୩ ଏଚ୍ପି କ୍ରମ୍ପଟନ ମୋଟର ଦ୍ୱାରା ପରିଚାଳିତ ଏହି ମେସିନକୁ ଚଳାଇବା ପାଇଁ ଅଧିକ ବିଦ୍ୟୁତ ଶକ୍ତି ଦରକାର ପଡ଼ିବ ନାହିଁ। ୧ ଘଣ୍ଟା ଚଳାଇଲେ ବିଦ୍ୟୁତ ଶକ୍ତି ୧ ୟୁନିଟରୁ କମ୍ ଖର୍ଚ୍ଚ ହେବ ବୋଲି ଏହାର ଓଡ଼ିଶା ଡିଷ୍ଟ୍ରିବୁଟର ତଥା ଜୟ କିଷାନ ଏଗ୍ରି ସଲ୍ୟୁସନ୍ସର ମୁଖ୍ୟ କଳ୍ପତରୁ ସାହୁ କହିଛନ୍ତି। ଏପରିକି ଏହାକୁ ଘରେ ମହିଳାମାନେ ମଧ୍ୟ ସହଜରେ ଚଳାଇପାରିବେ।
ଏହାର ଏକ ବିଶେଷତ୍ତ୍ୱ ହେଉଛି ଏହି ମିଲ୍ରେ ଧାନ ପେଷିଲେ ଚାଉଳରେ କୁଣ୍ଡା ଆଦୌ ଆସିବ ନାହିଁ। ନିଜ ଘରର ଧାନ ପେଷିବା ସହିତ ସାହି ପଡ଼ିଶାଙ୍କର ଧାନ ପେଷି ଏଥିରୁ ମଧ୍ୟ ମହିଳାମାନେ କିଛି ରୋଜଗାର କରିପାରିବେ।
ମଲ୍ଟି ୟୁଜର ଟ୍ରାକ୍ଟର
ହଳ କରିବା ଓ କାଦୁଅ କରିବା ବ୍ୟତୀତ ଚାଷକ୍ଷେତ୍ରରୁ ଅମଳ ହୋଇଥିବା ଶସ୍ୟକୁ ବୋହିନେବାରେ ଟ୍ରାକ୍ଟରର ବଡ଼ ଭୂମିକା ରହିଛି। ମାତ୍ର ‘କୁବାଟୋ’ ଜାପାନର ଜ୍ଞାନ କୌଶଳ ସହ ଏମିତି ଏକ ବୈଷୟିକ ସୁବିଧା ଭେଟି ଦେଉଛି ଯେଉଁଥିରେ ବହୁ ପ୍ରକାର କାମ କରିହେବ। ଏହାକୁ ଜେସିବି ଭଳି ମଧ୍ୟ ବ୍ୟବହାର କରିହେବ।
ବିନା ଲୁହା ଚକରେ ଏହା କାଦୁଅ କରିପାରିବ। ବିନା ଚାଳକରେ ଏହା ବେଙ୍ଗଳା ପକାଇପାରିବ। ଧାନ କାଟିହେବ। ଡବଲ୍ ଆକ୍ଟିଙ୍ଗ ପାୱାର ଷ୍ଟିୟରିଂର ସୁବିଧା ଥିବା ଏହି ଟ୍ରାକ୍ଟର ଚାଳନା ବେଳେ ବିଶେଷ ଭାଇବ୍ରେସନ୍ ହେବ ନାହିଁ ବୋଲି କୁବୋଟା ଏଗ୍ରିକଲ୍ଚରାଲ ମେସିନେରି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାର ଏକ୍ଜିକ୍ୟୁଟିଭ୍ ଜୀବନାନନ୍ଦ ମହାନ୍ତି କହିଛନ୍ତି।








ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି। 









