ଓଡ଼ିଶାଲାଇଭ୍ ବ୍ୟୁରୋ
‘ବାଟୋଇ’ ପାଇଁ ବୀଣାପାଣି ମହାନ୍ତିଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଏହା ପୂର୍ବରୁ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଥିବା ‘ବାଟୋଇ’ ର ସ୍ରଷ୍ଟା ବୀଣାପାଣିଙ୍କ ଲାଗି ସାହିତ୍ୟ ସାଧନାର ଆଉ ଏକ ସ୍ୱୀକୃତି।
ବୀଣାପାଣିଙ୍କ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳରେ ହୋଇଥିଲାବେଳେ ୧୯୩୬ ମସିହାରେ ସେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ। ୧୯୫୩ ମସିହାରେ ସେ ମାଟ୍ରିକ୍, ୧୯୫୭ରେ ଅର୍ଥନୀତିରେ ସ୍ନାତକ, ୧୯୫୯ରେ ସ୍ନାତ୍ତୋକତ୍ତର ପାସ୍ କରିଥିଲେ।
୧୯୬୦ ମସିହାରେ ସେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ପ୍ରଥମେ କବିତା ଲେଖାଲେଖି ଆରମ୍ଭ କରି ପରେ ସେ ଉପନ୍ୟାସ ଏବଂ ଗଳ୍ପ ଜଗତରେ ପାଦ ଥାପିଥିଲେ।
୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା ‘ତନ୍ଦ୍ରାହତ’ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶିତ ହୋଇଥିଲା। ୧୯୫୭ମସିହାରେ ‘ଗୋଟିଏ ରାତ୍ରୀର କାହାଣୀ’ ରବିବାସରୀୟରେ ସ୍ଥାନିତ ହୋଇଥିଲା। ୧୯୬୧ରେ ତାଙ୍କ ଗଳ୍ପ ‘ନାଉ ଗଛ’ ବେଶ୍ ପାଠକୀୟ ଆଦୃତି ଲାଭ କରିପାରିଥିଲା। ତାଙ୍କ ଗଳ୍ପର କଥାବସ୍ତୁ ସମାଜର ନିଛକ କଥା ଉପରେ ଆଧାରିତ ହୋଇଥାଏ।
ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଏହି କଲେଜରେ ମାଡିଥିବା ଏକ ନାଉ ଗଛକୁ ନେଇ ଏହି କାହାଣୀ ରଚନା କରିଥିଲେ। ସେହିପରି ‘ବାଟୋଇ’ ଗଳ୍ପଟି ଭୁବନେଶ୍ୱର ରସୁଲଗଡ ଛକରେ ବସ୍ରେ ଜୋର୍ କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା।
‘ବାଟୋଇ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ସେହିପରି ‘କସ୍ତୁରୀ ମୃଗ’, ‘ସବୁଜ ଅରଣ୍ୟ’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।








‘ବାଟୋଇ’ ପାଇଁ ବୀଣାପାଣି ମହାନ୍ତିଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।








