ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଆମ ରାଜ୍ୟ ଦେଶରେ ବିକାଶ ଧାରାକୁ ଜାରି ରଖିଛି। ବିକାଶ କ୍ଷେତ୍ରରେ ଆମ ରାଜ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀ, ବେଷ୍ଟ ଆଉଟଲୁକ୍ ଓ କୃଷି କର୍ମଣ ପୁରସ୍କାର ପାଇ ଅଗ୍ରଣୀ ରାଜ୍ୟର ମାନ୍ୟତା ଲାଭ କରିଛି। ମୋ ସରକାର ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଉତ୍ତମ ସେବା ପାଇ ପାରୁଛନ୍ତି” କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା।

କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ  ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଉଲ୍ଲେଖନୀୟ ସେବା ପାଇଁ ଆମ ରାଜ୍ୟ ମଧ୍ୟ ଏକ ବିକଶିତ ରାଜ୍ୟ ଭାବରେ ନିଜର ପରିଚୟ ସୃଷ୍ଟି କରିଛି। ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ, ବେଷ୍ଟ ଆଉଟଲୁକ୍ ସମ୍ମାନ, କୃଷି କର୍ମଣ ପୁରସ୍କାର ଆମ ରାଜ୍ୟର ସମ୍ମାନ ବୃଦ୍ଧି କରିଛି। ମହିଳା ସଶକ୍ତିକରଣ ଓ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ନିର୍ମାଣ କରାଯାଇ ସବୁ ପରିବାରରେ ଆର୍ଥିକ ବିକାଶ ଧାରା ଜାରି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରାପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। କେନ୍ଦ୍ରାପଡ଼ା ଜେଲ୍‌ ଓ ଜିଲ୍ଲା ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଜିଲ୍ଲାପାଳ।

ଏହାଛଡା ଦେଶର ସ୍ଵାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି। ଏହି ପ୍ୟାରେଡ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ କେନ୍ଦ୍ରାପଡା ଏସପି ନିତିଶେଖର ଓ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣ ମଧ୍ୟ ଯୋଗଦେଇଥିଲେ।

Comment