ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ। ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସଂପର୍କରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିବେ।

ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ପ୍ରସିଦ୍ଧ ଲେଖକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ ଓ ଭାଷ୍ୟକାରମାନେ ଏକତ୍ରିତ ହୋଇ ମତ ବିନିମୟ କରିବେ।

ଏହି ପରିପ୍ରେକ୍ଷୀରେ ସୋଆ କୁଳପତି ପ୍ରଫେସର ଆର.କେ. ଚୌହାନ କହିଛନ୍ତି ଯେ ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ।

ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍‌ (ସେଣ୍ଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଣ୍ଟ୍ କଲଚର ଆଣ୍ଡ ହେରିଟେଜ୍‌) କେନ୍ଦ୍ର ଦ୍ୱାରା ଏହା ଆୟୋଜନ କରାଯାଉଛି।

ଗବେଷଣା, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡିଜିଟାଲାଇଜେସନ ମାଧ୍ୟମରେ ଭବିଷ୍ୟତ ପିଢ଼ିପାଇଁ ସଂରକ୍ଷଣ କରିବା ହେଉଛି ପ୍ରାଚୀନର ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା।

ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ୟିକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରୁ ପ୍ରସିଦ୍ଧ ବ୍ୟକ୍ତିମାନେ ହେଉଛନ୍ତି ସରସ୍ୱତୀ ସମ୍ମାନ ପ୍ରାପ୍ତ ଗୁଜୁରାଟି ଭାଷାର କବି ଓ ଲେଖକ ପ୍ରଦ୍ମଶ୍ରୀ ଡକ୍ଟର ସୀତାଂଶୁ ୟଶଶଚନ୍ଦ୍ର, ଚଳିତ ବର୍ଷ ସରସ୍ୱତୀ ସମ୍ମାନ ପ୍ରାପ୍ତ ସିନ୍ଧି ଭାଷାର କବି ଡକ୍ଟର ବାସଦେବ ମୋହି, ଇଂରାଜୀ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଓଡିଆ ଔପନ୍ୟାସିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ।

ସେହିପରି ଇଂରାଜୀ ଲେଖକ ତଥା ଐତିହାସିକ ଡକ୍ଟର ବିକ୍ରମ ସଂପଥ, ସରସ୍ୱତୀ ସମ୍ମାନ ପ୍ରାପ୍ତ ଓଡିଆ କବି ପଦ୍ମଭୂଷଣ ରମାକାନ୍ତ ରଥ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଆ କବି ପଦ୍ମଭୁଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପ୍ରଖ୍ୟାତ ଓଡିଆ କବି ରାଜେନ୍ଦ୍ର କିଶୋର ପଣ୍ଡା, ହରପ୍ରସାଦ ଦାସ, ହିନ୍ଦୀ ଭାଷାର ପ୍ରଖ୍ୟାତ ଔପନ୍ୟାସିକା ଚିତ୍ରା ମୁଦଗଲ୍‌, ବିଶିଷ୍ଟ ହିନ୍ଦୀ କବି ଅରୁଣ କମଲ, ଉଦୟନ ବାଜପେୟୀ, ମାଲୟଲମ ଭାଷାର ବିଶିଷ୍ଟ ଔପନ୍ୟାସିକା କେ. ଆର ମୀରା, ଇଂରାଜୀ ଲେଖକ ନିର୍ମଳକାନ୍ତୀ ଭଟ୍ଟାଚାର୍ଜୀ, ଅମନଦୀପ୍ ସାନ୍ଧୁ, ମାଲାୟଲମ ଭାଷାର ଅନୁବାଦକ ତଥା ଇଂରାଜୀ କବି ଏଜେ ଥୋମାସ୍‌, ମରାଠୀ ଲେଖକ ଡକ୍ଟର ଜ୍ଞାନେଶ୍ୱର ମୁଲେ, ହିନ୍ଦୀ କବି ତଥା ସଂପାଦକ ବ୍ରଜେନ୍ଦ୍ର ତ୍ରିପାଠୀ, ରାନୁ ଉନିଆଲ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଫେବୃୟାରୀ ୧ ଓ ୨ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ୨୬ଟି ଅଧିବେଶନ ହେବ। ଏହି ଅଧିବେଶନରେ ଓଡିଆ ସିନେ କଳାକାର ଆକାଶ ଦାଶ ନାୟକ, ଅନୁ ଚୌଧୁରୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଆ ଲେଖକ ତରୁଣକାନ୍ତି ମିଶ୍ର ଏବଂ ସାନ୍ତାଳୀ ଲେଖକ କାଳିଚରଣ ହେମ୍ବ୍ରମଙ୍କୁ ଉତ୍ସବର ପ୍ରଥମ ଦିନରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

Comment