ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ? ପୁଣି ତାରିଖ ଘୁଞ୍ଚିବା ପରେ ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି। ଦୁଇ ଦୁଇ ଥର ଡେଥ୍‌ ୱାରେଣ୍ଟ ଜାରୀ ହୋଇ ଘୁଞ୍ଚିବା ପରେ ନିର୍ଭୟାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।

ଫେବ୍ରୁଆରି ୧ ତାରିଖରେ ତିହାର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ଦୋଷୀମାନେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିବାରୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇ ଦେଇଛନ୍ତି। ତେବେ ଦୋଷୀମାନଙ୍କୁ କେବେ ଫାଶୀ ଦିଆଯିବ ସେନେଇ ତାରିଖ ଘୋଷଣା କରାଯାଇନି।

ଏପଟେ ଦୋଷୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଏ ପି ସିଂହ କୋର୍ଟରେ କହିଥିଲେ ଯେ ଦୋଷୀମାନଙ୍କ ପାଖରେ ଆହୁରି ନ୍ୟାୟିକ ବିକଳ୍ପ ବାକି ରହିଛି। ଏଣୁ ସେମାନଙ୍କ ଫାଶୀ ଉପରେ ରୋକ ଲଗାଯାଉ।

ନିର୍ଭୟାର ମାମଲାର ଅନ୍ୟତମ ଦୋଷୀ ମୁକେଶ ତରଫରୁ ମାମଲା ପରିଚାଳନା କରୁଥିବା ଓକିଲ ବୃନ୍ଦ ଗ୍ରୋବର ଆଉ ଏକ ପିଟିସନ କୋର୍ଟରେ ଦାଖଲ କରିଥିଲେ। ସେ ଏଥିରେ ଦର୍ଶାଇଥିଲେ ଯେ ତିଆର ଜେଲ୍‌ରେ ସମାନ ଅପରାଧର ୪ ଜଣ ଦୋଷୀ ରହୁଛନ୍ତି। ଏଣୁ ସେମାନଙ୍କୁ ଅଲଗା ଅଲଗା ଦିନରେ ଫାଶୀ ଦିଆ ନଯାଉ।

ଫାଶୀ ଦଣ୍ଡାଦେଶର ପୁନର୍ବିଚାର କରିବାକୁ ନିର୍ଭୟା ମାମଲାର ୪ ଦୋଷୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ଖାରଜ କରି ଦେଇଥିଲେ କୋର୍ଟ। ଏହାପରେ ଦୋଷୀ ବିନୟ, ମୁକେଶ ଏବଂ ଅକ୍ଷୟ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲେ। ତାହା ମଧ୍ୟ କୋର୍ଟରେ ଖାରଜ ହୋଇଥିଲା। ଏବେ ଅନ୍ୟତମ ଦୋଷୀ ପବନ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିବାର ଅଛି। ଏପଟେ କ୍ୟୁରେଟିଭ୍‌ ପିଟିସନ ଖାରଜ ହେବା ପରେ ଅକ୍ଷୟ ଏବଂ ପବନ ରାଜକ୍ଷମା ଆବେଦନ କରିପାରନ୍ତି।

ଦୋଷୀ ମୁକେଶର ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହୋଇଛି। ଏବେ ଅନ୍ୟ ଦୋଷୀମାନେ ମୁକେଶ ଯାଇଥିବା ରାସ୍ତାରେ ଯାଇ ପାରନ୍ତି। ସମସ୍ତ ନ୍ୟାୟିକ ବିକଳ୍ପ ଶେଷ ହେବା ଯାଏଁ ଫାଶୀ ଦଣ୍ଡାଦେଶରେ ରୋକ ଲାଗିପାରେ।

Comment