ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିହାର ଜେଲ୍‌ରେ ଭୋର୍‌ ସାଢ଼େ ୫ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ।

ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇବାକୁ ମନା କରିବା ପରେ ଫାଶୀ ସ୍ପଷ୍ଟ ହୋଇଯାଇଛି। ଶୁକ୍ରବାର ଭୋର୍‌ ସାଢ଼େ ୫ଟାରେ ତିହାର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ଚାରି ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ।

ଫାଶୀରୁ ଟାଳିବା ପାଇଁ ନିର୍ଭୟା ଦୋଷୀ ଚାଲ୍‌ ଖେଳିଥିଲେ। ଦୋଷୀ ପବନ ଗତ ମଙ୍ଗଳବାର ଦିନ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୨୦୧୨ରେ ଏହି ଘଟଣା ଘଟିଥିବା ବେଳେ ସେ ନାବାଳକ ଥିବା ପିଟିସନରେ ଦର୍ଶାଇଥିଲା। ଏହି ପିଟିସନ ଆଜି ସୁପ୍ରିମକୋର୍ଟ ଖାରଜ କରିଥିଲେ।

ଅନ୍ୟତମ ଦୋଷୀ ମୁକେଶ ମଧ୍ୟ ଆଉ ଏକ ପିଟିସନ ଦାଖଲ କରିଥିଲା। ଘଟଣା ଦିନ ସେ ଦିଲ୍ଲୀରେ ନଥିବା ଦର୍ଶାଇଥିଲା। ଏହି ପିଟିସନ ମଧ୍ୟ ଆଜି ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ।

ଗତ ଦୁଇ ଦିନ ତଳେ ଦୋଷୀମାନଙ୍କ ଓକିଲ ଏ ପି ସିଂହ ଅନ୍ତର୍ଜାତୀୟ କୋର୍ଟକୁ ଚିଠି ଲେଖିଥିଲେ। ପଟିଆଲା ହାଉସ୍‌ କୋର୍ଟରୁ ଦୋଷୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ନେଇ ଯାଞ୍ଚ କରିବାକୁ ନିବେଦନ କରିଥିଲେ।

୨୦୧୨ରେ ଚଳନ୍ତା ବସ୍‌ରେ ଭାରତର ରାଜଧାନୀ ଦିଲ୍ଲୀରେ ନୃଶଂସ କାଣ୍ଡ ଘଟିଥିଲା। ପୁରୁଷବନ୍ଧୁଙ୍କ ସହ ଆସୁଥିବା ଜଣେ ନାବଳିକାଙ୍କୁ ୬ ଜଣ ଗଣଦୁଷ୍କର୍ମ ସହ ହତ୍ୟା କରିଥିଲେ। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ୭ ବର୍ଷର ନ୍ୟାୟିକ ଲଢ଼େଇ ପରେ ଦୋଷୀମାନଙ୍କୁ ଫାଶୀ ଦେବାକୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଫାଶୀ ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ତିନି ଥର ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀମାନେ ଚାଲ୍‌ ଖେଳି ଏହାକୁ ଟାଳି ଦେଇଥିଲେ। ମାର୍ଚ୍ଚ ୨୦ରେ ହେବାକୁ ଥିବା ଫାଶୀ ଦଣ୍ଡାଦେଶକୁ ମଧ୍ୟ ଟାଳିବାକୁ ଉଦ୍ୟମ କରିଥିଲେ। ହେଲେ ତାହା ସଫଳ ହୋଇନି। ଆସନ୍ତାକାଲି ଦୋଷୀ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ ଠାକୁର, ପବନ ଗୁପ୍ତା ଫାଶୀରେ ଝୁଲିବା ଥୟ ହୋଇଯାଇଛିା

Comment