ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଆସିଲା ନୂଆ ଡେଥ୍‌ ଓ୍ଵାରେଣ୍ଟ। ପ୍ରତିକ୍ରିୟା ରଖିଲେ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ।

“୪ଥର କୋର୍ଟ ଫାଶୀ ଦେଇ ସାରିଲେଣି। ନିରୀହ ୪ଜଣଙ୍କୁ ଆଉ କେତେଥର ଫାଶୀ ଦିଆଯିବ? ଏମାନେ ଆତଙ୍କବାଦୀ ନୁହନ୍ତି, ଏମାନେ ପାଠସାଠ ପଢ଼ିଲା ପିଲା। ଜେଲ୍‌ରେ ରହି ସୁଧୁରିବାକୁ ଚେଷ୍ଟା କରୁଛନ୍ତି। ବାରମ୍ଵାର ଡେଥ୍‌ ଓ୍ଵାରେଣ୍ଟ ଜାରି କରାଯାଇ ଏମାନଙ୍କୁ ହାରାସ କରାଯାଉଛି। ଆମ ପାଖରେ ଆହୁରି ଆଇନଗତ ପଦକ୍ଷେପ ବାକି ଅଛି, ଠିକ ସମୟରେ ଆମେ ପଦକ୍ଷେପ ନେବୁ” ,କହିଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ।

ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଆଜି ଚତୁର୍ଥଥର ପାଇଁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ଏହି ଡେଥ୍‌ ଓ୍ଵାରେଣ୍ଟ ଜାରି ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଓକିଲ ଏପି ସିଂହ। ପୂର୍ବରୁ ୩ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଫାଶୀ ଦିଆଯାଇନଥିଲା। ବର୍ତ୍ତମାନ ପୁଣି ଚତୁର୍ଥଥର ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି।

ଏନେଇ ଏପି ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ମତେ କୋର୍ଟ କହୁଛନ୍ତି ନିଆଁରେ ଖେଳ ନାହିଁ ଏହାର ପରିଣାମ ଭୁଲ ହେବ। ଏହାର ଅର୍ଥ ମତେ ଡରା ଯାଉଛି, ଭୟଭୀତ କରାଯାଉଛି। ୪ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରି ୪ ଜଣଙ୍କୁ ମାରି ଦେଇସାରିଛନ୍ତି।

ଡେଥ୍‌ ଓ୍ଵାରେଣ୍ଟ ଜାରି ପରେ ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ଵା କହିଛନ୍ତି, “ଦୋଷୀମାନଙ୍କୁ ଆଉ ତ୍ରାହି ନାହିଁ। ୪ ତାରଖରେ ଦୋଷୀମାନେ ଫାଶୀରେ ଝୁଲିବା ପକ୍କା। ଦୋଷୀମାନଙ୍କର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ଏଥର ମୋ ଭଉଣୀ ନିର୍ଭୟାକୁ ନ୍ୟାୟ ମିଳିବ। କୋର୍ଟ ଉଚିତ ସମୟରେ ନିଷ୍ପତ୍ତି ନେଇଛନ୍ତି।”

ଜାନୁଆରି ୨୨, ଫେବ୍ରୁଆରି ୧ ଓ ମାର୍ଚ୍ଚ ୩ ତାରଖରେ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଫାଶୀ ପାଇପାରିନଥିଲେ ନିର୍ଭୟା ଦୋଷୀ। ଆଇନର ଗଳା ବାଟ ଦେଇ ବାରମ୍ଵାର ଖସିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏଥରେ ସମସ୍ତ ଦୋଷୀଙ୍କ ଆଇନଗତ ପଦକ୍ଷେପ ଶେଷ ହୋଇଯାଇଛି। ମାର୍ଚ୍ଚ ୨୦ ତାରିଖ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ ବୋଲି କୁହାଯାଉଛି।

Comment