ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାଦେଶରେ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍। ଯାହା ଫଳରେ ଟ୍ରାଫିକ୍ ନିୟମ ଉଲଘଂନ କରିଲେ ଚାଳକମାନଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡୁଛି। ବେପରୁଆ ଗାଡ଼ି ଚାଳନା ତଥା ଲୋକଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏପରି ନୂଆ ଆଇନ୍ ଆଣିଛନ୍ତି ସରକାର।

ତେବେ ଏଭଳି ଆଇନ୍ କେବଳ ଭାରତରେ ଲାଗୁ ହୋଇନାହିଁ। ଏହା ପୂର୍ବରୁ ବିଶ୍ୱର ଅନ୍ୟର ଦେଶମାନଙ୍କରେ ମଧ୍ୟ ଏଭଳି କଠୋର ଆଇନ୍ ରହିଛି। ଜାଣନ୍ତୁ କେଉଁ ଦେଶରେ କ’ଣ ରହିଛି ନିୟମ, ଏବଂ ଏଥିପାଇଁ କେତେ ଦେବାକୁ ପଡ଼ିବ ଫାଇନ୍‌?

ତାଇବାନ                      

ତାଇବାନରେ ମଦ ପିଇ ଗାଡ଼ି ଚଲେଇଲେ ଚାଳକଙ୍କୁ ଦୁଇବର୍ଷ ପାଇଁ ଜେଲ କିମ୍ବା ୪ ଲକ୍ଷ ୮୨ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ। ସେହିପରି ଯଦି ନିଶାସକ୍ତ ଥିବା ଅବସ୍ଥାରେ କୌଣସି ଦୁର୍ଘଟଣା କରିଦିଅନ୍ତି ତେବେ ଚାଳକଙ୍କୁ ସାତବର୍ଷ ପାଇଁ ଜେଲଦଣ୍ଡ ମିଳିଥାଏ। ଯଦି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟେ ତେବେ ଚାଳକଙ୍କୁ ଦଶ ବର୍ଷ ପାଇଁ ଜେଲ ଯିବାକୁ ପଡ଼ିଥାଏ।

ଓମାନ

ଯଦି ଆପଣ ଓମାନରେ ଗାଡ଼ି ଚଲାଇବା ସମୟରେ  ମୋବାଇଲରେ କଥା ହୁଅନ୍ତି, ଭିଡ଼ିଓ ଦେଖନ୍ତି କିମ୍ବା କାହାକୁ ମେସେଜ୍ କରିବା ସମୟରେ ଧରା ପଡ଼ନ୍ତି, ତେବେ ଆପଣଙ୍କୁ ୧୦ ଦିନ ପାଇ ଜେଲ୍ ଯିବାକୁ ପଡ଼ିବ। ଏହାସହ ଆପଣଙ୍କୁ ୫୬ ହଜାର ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ।

ଫିନଲ୍ୟାଣ୍ଡ

ଫିନଲ୍ୟାଣ୍ଡରେ ଦୃତଗତିରେ ଗାଡ଼ି ଚଲାଇବା ଉପରେ କଠୋର ଆଇନ୍ ରହିଛି। ଏହି ଦେଶରେ ଗାଡ଼ିର ଗତି ଓ ଚାଳକର ଆୟକୁ ନେଇ ଜରିମାନା ଆଦାୟ ହୋଇଥାଏ। ଏହି ଦେଶରେ ଜଣେ ଧନୀ ବ୍ୟକ୍ତିଙ୍କଠାରୁ ଦୃତଗତିରେ ଗାଡ଼ି ଚଳାଇବା ପାଇଁ ୪ କୋଟି ୩୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଥିଲା।

ବ୍ରିଟେନ୍

ଯଦି ଆପଣ ବ୍ରିଟେନରେ ଗାଡ଼ି ଚଲାଇବା ସମୟରେ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର କରୁଥିବା ବେଳେ ଧରାପଡ଼ନ୍ତି ତେବେ ପୋଲିସ ଆପଣଙ୍କୁ ୧୭ ହଜାର ଟଙ୍କାର ଚାଲାଣ କାଟିପାରେ। ଯଦି ଆପଣ ଏଭଳି ଭୁଲ୍ ବାରମ୍ବାର କରନ୍ତି ତେବେ ଫାଇନର ପରିମାଣ ମଧ୍ୟ ବୃଦ୍ଧି ପାଇବ।

ହଲାଣ୍ଡ

ହଲାଣ୍ଡରେ ଯଦି ଆପଣ ଦୃତଗତିରେ ଗାଡ଼ି ଚଳାଉଥାନ୍ତି ତେବେ ଆପଣଙ୍କୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ। ସିଧାସଳଖ ଆପଣଙ୍କ ଗାଡ଼ିଟିକୁ ଜବତ କରି ନିଆଯିବ।

ସେହିଭଳି ବିଶ୍ୱର ୩୦ଟି ଦେଶରେ ଗାଡ଼ି ଚଲେଇବା ସମୟରେ ମୋବାଇଲ୍ ବ୍ୟବହାର କଲେ ଚାଳକଙ୍କୁ ଭାରି ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ। ଗାଡ଼ି ଚଲେଇବା ସମୟରେ ମୋବାଇଲ ବ୍ୟବହାର କଲେ ବରମୁଦାରେ ୩୬ ହଜାର ଟଙ୍କା, ତ୍ରିନିଦାଦ ଓ ଟୋବାଗୋରେ ୧୬ ହଜାର ଟଙ୍କା, କତାରରେ ୧୦ ହଜାର ଓ ଫିଲିଫାଇନ୍ସରେ ୭ ହଜାର ୨୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିଥାଏ।

Comment