ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗ ଦେଇ କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।

ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିଲେ।

‘‘ଯେଉଁ କବିତା ଦୁର୍ବୋଧ୍ୟ ଓ ଯାହା ବୁଝି ହୁଏନି ତାକୁ ଭଲ କବିତା ଭାବେ ପ୍ରଶଂସା ମିଳୁଛି। ଏହା ଠିକ୍ ନୁହେଁ।  କବିଟିଏ କବିତା ଲେଖିଲା ବେଳେ ଏହାକୁ ଯେପରି ସମସ୍ତେ ବୁଝିପାରିବେ ସେ ବିଷୟରେ ଲକ୍ଷ୍ୟ ରଖିବା ଦରକାର। ନଚେତ କବିତା ଅର୍ଥହୀନ ହୋଇପଡ଼ିବ’’, କହିଛନ୍ତି ରମାକାନ୍ତ ରଥ।

ଏହି ଉତ୍ସବରେ ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ସିତାକାନ୍ତ ମହାପାତ୍ର ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ଔପନାସିକ ଡକ୍ଟର ବିଭୁତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ସୋଆ କୁଳପତି ପ୍ରଫେସର ଆର୍ କେ ଚୌହାନ ଉସ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

ବିଶିଷ୍ଟ ଗୁଜୁରାଟି କବି ସିତାଂଶୁ ୟଶଶ୍ଚନ୍ଦ୍ର ଶନିବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଥିବାବେଳେ ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।

ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହି ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି। ତେବେ ଆମ ସମୟର ସମସ୍ୟା ଓ ଆମ ସାହିତ୍ୟିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷିତ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଡକ୍ଟର ୟଶଶ୍ଚନ୍ଦ୍ର କହିଥିଲେ, ‘‘ଯାହା ଆମକୁ ଆକର୍ଷିତ କରୁଛି ତାହା ବିଶ୍ୱାସଯୋଗ୍ୟ ବୋଲି ପ୍ରତିପାଦିତ କରାଯାଉଛି। ଯାହାକୁ ‘ଚମତ୍କାର’ ଓ ‘ଚିତ୍ତାକର୍ଷକ’ କୁହାଯାଉଛି ତାହା ‘ଯୁକ୍ତିଯୁକ୍ତ’ ଓ ‘ଗୁରୁତ୍ୱପୂର୍ଣ୍ଣ’ ନୁହେଁ।’’

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଚଳିତବର୍ଷ ମର୍ଯ୍ୟାଦାସମ୍ପନ୍ନ ସରସ୍ୱତୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ସିନ୍ଧି କବି ଡକ୍ଟର ଭାସଦେବ ମୋହି ଏବଂ ବିଶିଷ୍ଟ ଲେଖକ ଡକ୍ଟର ଜ୍ଞାନେଶ୍ୱର ମୁଲେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।

ସୋଆ ସାହିତ୍ୟ ଉତ୍ସବକୁ ‘ଶବ୍ଦ ଏବଂ ବିଚାରଧାରା’ର ଉତ୍ସବ ବୋଲି କହିଥିଲେ ବିଶିଷ୍ଟ ହିନ୍ଦୀ କବି ଏବଂ ସାମ୍ବାଦିକ କୁଲ୍‌ଦୀପ କୁମାର।

ଅନ୍ୟ ଗଣମାଧ୍ୟମ ଏବଂ ସାହିତ୍ୟ ଉତ୍ସବଗୁଡ଼ିକରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ କେନ୍ଦ୍ର କରି ଉତ୍ସବ ପାଳନ କରାଯାଉଥିବା ବେଳେ ସୋଆ ସାହିତ୍ୟ ଉତ୍ସବ ଭାରତୀୟ ଭାଷା ଓ ସାହିତ୍ୟକୁ ନେଇ କେନ୍ଦ୍ରିତ ବୋଲି ସେ କହିଥିଲେ।

ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୨୭ଟି ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଣ୍ଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଣ୍ଟ ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା।

“ଏହା ଆମ ପାଇଁ ଏକ ନୂଆ ଅନୁଭୂତି ଓ ଏହି ସଫଳତା ଆଗକୁ ଆମକୁ ଅଧିକ ପ୍ରୋତ୍ସାହିତ କରିବ’’, କହିଥିଲେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୁଇ ବିଶିଷ୍ଟ ସାହିତ୍ୟିକ ତରୁଣକାନ୍ତି ମିଶ୍ର ଏବଂ କାଳୀ ଚରଣ ହେମ୍ବ୍ରମ। ଏମାନଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ତରୁଣକାନ୍ତି ମିଶ୍ରଙ୍କ ପୁସ୍ତକ ‘ଭାସ୍ୱତୀ’ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ବେଳେ ଶ୍ରୀ ହେମ୍ବ୍ରମଙ୍କ ସାନ୍ତାଳୀ ଭାଷାରେ ପୁସ୍ତକ ‘ଶିଶିରଜାଲି’ ପାଇଁ ମନୋନୀତ ହୋଇଛନ୍ତି।

ଏହି ଉତ୍ସବରେ ସାହିତ୍ୟ ଜଗତ ସହ ଜଡ଼ିତ ବିଶିଷ୍ଟ କବି ଜୟନ୍ତ ମହାପାତ୍ର, ଡକ୍ଟର ବିକ୍ରମ ସମ୍ପତ, ଏଚ୍.ଏସ୍ ଶିବପ୍ରକାଶ, ଜୟନ୍ତ ପାରମାର, ଡକ୍ଟର ରିତାନାଥ କେଶରୀ, ଅରୁଣ କମଲ୍, ବ୍ରଜେନ୍ଦ୍ର ତ୍ରିପାଠୀ, ଏ ଜେ ଥୋମାସ୍, ଉଦୟନ୍ ବାଜପେୟୀ, ଅମନଦୀପ୍ ସାନ୍ଧୁ, ଯଶୋଧାରା ରାୟଚୌଧୁରୀ, ହରପ୍ରସାଦ ଦାସ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ର, ଡକ୍ଟର ରାନୁ ଉନିଆଲ୍,  ରାଜେନ୍ଦ୍ର କିଶୋର ପଣ୍ଡା, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ରାଜେଶ ପ୍ରଭାକର ପାଟିଲ, କୁଲ୍‌ଦୀପ କୁମାର, କୁମାର ଅନୁପମ୍, କେ ଆର୍ ମୀରା, ନିର୍ମଳକାନ୍ତି ଭଟ୍ଟାଚାର୍ଯ୍ୟ, ଅଶୋକ ମହେଶ୍ୱରୀ, ଡକ୍ଟର ଲିପିପୁଷ୍ପା ନାୟକ, ପ୍ରଫେସର ଅମିତ ରଞ୍ଜନ ଓ ପାରମିତା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Comment