ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିନ୍ନ ମୋଡ଼ ନେଲା ଭୁବନେଶ୍ଵରରେ ପରବିନ୍ଦର ପାଲ୍‌ ସିଂଙ୍କୁ ମାଡ଼ ଘଟଣା। ଏହି ମାମଲାରେ ପବିନ୍ଦରଙ୍କ ନାଁରେ ପାଲଟା ଅଭିଯୋଗ ହୋଇଛି। ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ନେଇ ଗାଳି କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ଵର ଏସ୍‌ଡିଜେଏମ୍‌ କୋର୍ଟରେ ଏଭଳି ଅଭିଯୋଗ କରିଛନ୍ତି ପ୍ରତିପକ୍ଷ।

ଜାନୁଆରି ୧୫ ତାରିଖରେ କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ ପାଖରେ ପରବିନ୍ଦରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏହି ଘଟଣା ସମୟରେ ପୋଲିସ ଉପସ୍ଥିତିରେ ମଧ୍ୟ ପରବିନ୍ଦରଙ୍କୁ ଆକ୍ରମଣ କରାଯାଇଥିଲା। ଏପରିକି ଦୁର୍ବୃତ୍ତମାନେ ପରବିନ୍ଦରଙ୍କ ମୁଣ୍ଡକୁ ପଥରରେ ଛେଚିବାର ଭିଡଓ ମଧ୍ୟ ଦେଖିବାକୁ ମିଳିଥିଲା।

ଏନେଇ ଖବର ପ୍ରସାରିତ ହେବା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ଜଣେ ପିସିଆର ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ହେଲେ ଗିରଫ ହେବାର ଗୋଟିଏ ଦିନ ପରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଯାଇଥିଲା।

ଅଭିଯୁକ୍ତଙ୍କ ନାଁରେ ୨୯୪, ୩୪୧, ୩୨୩, ୩୩୬, ୩୩୯, ୩୭୯, ୫୦୭ ଓ ୩୪ ଦଫା ଲାଗିଥିଲା। ପୋଲିସ ସାମ୍ନାରେ ପଥରରେ ଛେଚି ମାରିଥିଲେ ମଧ୍ୟ ୩୦୭ ଦଫା ଲାଗିନାହିଁ ବୋଲି ଅଭିଯୋଗ କରିଥିଲେ ପରବିନ୍ଦର। ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା ପରେ ପରବିନ୍ଦର ରହୁଥିବା ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ଏହି ମାମଲାରେ ବିବାଦକୁ ଚାଲି ଆସିଥିଲେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୋଲିସ ଅଧିକାରୀ ଅନୁପ କାନୁନ୍‌ଗୋ। ରାତି ଅଧରେ ପରବିନ୍ଦରଙ୍କ ଘରକୁ ଯାଇ ଏହି ବିବାଦକୁ ଆସିଥିଲେ ଉଭୟ। ଏଥିପାଇଁ ବିରୋଧୀ ବିଧାୟକଙ୍କୁ ଟାର୍ଗେଟ କରିଥିଲା।

ବର୍ତ୍ତମାନ ପୁଣି ଏହି ମାମଲା ଭିନ୍ନ ମୋଡ଼ ନେଇଛି। ଘଟଣା ଦିନ ପ୍ରଥମେ ପରବିନ୍ଦର ଜାତି ଓ ବାପାଙ୍କ ନାଁ ନେଇ ଗାଳି କରିଥିବା ପ୍ରତିପକ୍ଷ କୋର୍ଟରେ ଅଭିଯୋଗ କରିଛନ୍ତି। ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପରବିନ୍ଦରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comment