ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୪୮ଟି ଫୌଜଦାରୀ, ଜମିଜମା ବିବାଦ ଏବଂ ଯାନବାହନ ଦୁର୍ଘଟଣା ସଂକ୍ରାନ୍ତ ମାମଲା ଆଗତ ହୋଇଥିଲା। ଏହା ବ୍ୟତୀତ ୨,୭୪୯ଟି ବ୍ୟାଙ୍କ ଋଣ ମାମଲା ଆଗତ ହୋଇଥିବାବେଳେ ସେଥିମଧ୍ୟରୁ ମୋଟ ୨୫୧ଟି ମାମଲା ଫଇସଲା ହୋଇଛି।

ଫୌଜଦାରୀ ଓ ଜମିଜମା ମାମଲାରେ ୧,୧୭,୮୦୦ ଟଙ୍କାର କ୍ଷତିପୂରଣ ରାଶି ପଇଠ ନିର୍ଦ୍ଦେଶ ସହିତ ଯାନବାହନ ବୀମା ରାଶି ବାବଦକୁ ୮,୮୨,୫୦୦ ପ୍ରଦାନ ଲାଗି ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ବ୍ୟାଙ୍କ ଋଣ ସମ୍ବନ୍ଧୀୟ ବିଚାର ମାମଲାରେ ୫,୨୪,୭୩,୬୫୮ ଟଙ୍କା ପଇଠ ନିମନ୍ତେ ସ୍ଥିରୀକୃତ ହୋଇଛି। ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଚାରପତି ରୂପଶ୍ରୀ ଚୌଧୂରୀଙ୍କ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ବିଚାରପତି ପ୍ରଦୀପ କୁମାର ମହନ୍ତ, ଅମିତାଭ ପଣ୍ଡା, ବିଚିତ୍ରାନନ୍ଦ ପ୍ରଧାନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଚାରପତି ବିଶେଷ କୁମାର ସାହୁ ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିଲେ। ଏସଡିଜେଏମ୍ ସୌଭାଗ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏହି ରଷ୍ଟ୍ରୀୟ ଲୋକ ଅଦାଲତରେ ମାମଲା ପରିଚାଳନା କରିଥିଲେ। ଆସନ୍ତା ଅଗଷ୍ଟ ମାସ ୧୩ ତାରିଖ ଦିନ ଜିଲ୍ଲାରେ ରାଷ୍ଟ୍ରୀୟ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବା ନେଇ ଆଗୁଆ ସୂଚନା ପ୍ରଦାନ କରାଯାଇଛି।

Tags: #Court #Adalat #LokaAdalat #SDJMCourt #Cases

Comment