ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭରଣପୋଷଣ ମାମଲାରେ ଗୁରୁବାର କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇ ପାରିନାହିଁ। ଜବାବ ଦାଖଲ ଲାଗି ଅନୁଭବଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ଟାଇମ୍ ପିଟିସନ୍ ଦାଖଲ କରିଥିଲେ। ଏସ୍‌ଡିଜେଏମ୍‌ଙ୍କ ଅଦାଲତ ଏହି ପ୍ରାର୍ଥନାକୁ ଗ୍ରହଣ କରି ଆସନ୍ତା ଡିସେମ୍ବର ୧୮କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ। ତାଙ୍କଠାରୁ ଭରଣପୋଷଣ ଓ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଦାବି କରିଥିଲେ। ଏହି ମାମଲା ପରେ ଏସ୍‌ଡିଜେଏମ୍ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରୋଟେକ୍‌ସନ୍ ଅଫିସର୍ ମଞ୍ଜୁଲତା ନାୟକ ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ।ଏହି ରେକର୍ଡକୁ ସେ ଅଦାଲତରେ ଦାଖଲ କରିବା ପରେ ମାମଲାର ଶୁଣାଣି ହୋଇ ଅନୁଭବଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ କରାଯାଇଥିଲା। ଗତକାଲି ଅନୁଭବଙ୍କ ଆଇନଜୀବୀ ପକ୍ଷ ରଖି ଜାବାବ ଦାଖଲ ଲାଗି ସମୟ ମାଗିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ଅପରପକ୍ଷରେ, କଟକ ପରିବାର ଅଦାଲତରେ ବର୍ଷା ଆଉ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ଡିସେମ୍ବର ୧୬ ତାରିଖକୁ ଧାର୍ଯ୍ୟ ହୋଇଛି। ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଥିବା ବେଳେ ଏହାକୁ ବିରୋଧ କରି ବର୍ଷା ସୁପ୍ରିମ୍‌କୋର୍ଟ ଯାଇଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଉଭୟଙ୍କ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ କହିଛନ୍ତି।

Comment