ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଦୟାଙ୍କ କମେଡି ଛୁଙ୍କରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ମଞ୍ଚ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଥା ପଡ଼ିଛି ଖଣ୍ଡଗିରି ଯାତ୍ରା ମଞ୍ଚରେ। ପାରମ୍ପରିକ ପାଲା ଗୀତ ସହିତ ଲୋକମାନେ ଶୁଣୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଜାକିଆ କାହାଣୀ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କ୍ରିକେଟ୍ ଛାଡ଼ି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଏହାପରେ ପରେ ସେ ମୋଦୀଙ୍କ ସହ ପଙ୍ଗା ନେଇଛନ୍ତି ଯାହାକୁ ମଜାଳିଆ ଢ଼ଙ୍ଗରେ ପାଲା ଗୀତ ସହିତ ପରିବେଷଣ କରି ଷ୍ଟେଜ୍ ଦୁଲୁକାଉଛନ୍ତି ଯାତ୍ରା ଜଗତର କମେଡି କିଙ୍ଗ୍ ଦୟା।
ସବୁବେଳେ ନିଜର ଦମଦାର କମେଡି ପାଇଁ ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଥିବା ଦୟାଙ୍କୁ ଏଥର ଖଣ୍ଡଗିରି ଯାତ୍ରାରେ ଏକ ଭିନ୍ନ ଗେଟଅପରେ ଦେଖିବାକୁ ମିଳିଛି। ହାତରେ ଚାମର ସହ ମୁଣ୍ଡରେ ତିଳକ ତା ସାଙ୍ଗକୁ ଦେହରେ ହଳଦିଆ ରଙ୍ଗର ପାଲା କଷ୍ଟ୍ୟୁମ୍ ପିନ୍ଧି ଖଣ୍ଡଗିରିକୁ ହୁଲସ୍ତୁଲ୍ କରୁଛନ୍ତି ଦୟା।
ଲଗାତାର ତିନି ଦିନଧରି ଖଣ୍ଡଗିରି ଯାତ୍ରାରେ ଚର୍ଚ୍ଚାରେ ରହିଛି ସ୍ୱପ୍ନ ମହଲର ଯାତ୍ରା ‘ସିଆଇଡି ଦୟା’। ଏଥିରେ ଦର୍ଶକମାନେ କମେଡିଆନ୍ ଦୟାଙ୍କୁ ଚାରୋଟି ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ପାଇଛନ୍ତି। ପ୍ରଥମେ ଜଣେ ଜାତୀୟ ସ୍ତରର ଭିକାରୀ ଏବଂ ତା’ପରେ ପରେଶ ରାୱଲ,ଗର୍ଭବତୀ ଝିଅ ଓ ପାଲା ଗାୟକ ଚରିତ୍ରରେ ଅଭିନୟ କରି ହସାଇ ହସାଇ ବେଦମ କରୁଛନ୍ତି ଦୟା। ଏହା ମଧ୍ୟରେ କିନ୍ତୁ ଦୟାଙ୍କ ପାଲା ଗାୟକ ଚରିତ୍ର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।
ପାଲା ଗାୟକ ଚରିତ୍ରରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ତାଙ୍କର ବିଷୟ କରିଛନ୍ତି। ଇମ୍ରାନ୍ ତାଙ୍କର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଛନ୍ତି। ଭାରତ ଆସି ଏଠାରେ ସେ ବାଳ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ଏହାପରେ ପରେ ଇମ୍ରାନ ଖଣ୍ଡଗିରି ଯାତ୍ରା ଆସି କେମିତି ଟ୍ରାଫିକ୍ ପୋଲିସ୍ ହାତରେ ଧରା ପଡୁଛନ୍ତି ତାକୁ ଅତି ମଜାଳିଆ ଢ଼ଙ୍ଗରେ ଦର୍ଶକଙ୍କ ଆଗକୁ ଆଣିଛନ୍ତି ଦୟା।
ଦୟାଙ୍କ ଏ କମେଡି ଛୁଙ୍କକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। ତାଙ୍କର କମେଡି ପାଟ୍ ବେଳେ ହୋହାଲ୍ଲାରେ ଲୋକମାନେ ଯାତ୍ରା ପରିବେଶକୁ ଗରମ କରିଦେଇଛନ୍ତି। ନିଜେ ଦୟା ମଧ୍ୟ ଦର୍ଶକଙ୍କ ଏ ଭଲପାଇବାକୁ ନେଇ ବହୁତ ଖୁସି ବୋଲି କହିଛନ୍ତି।








ଦୟାଙ୍କ କମେଡି ଛୁଙ୍କରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ମଞ୍ଚ।









