ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ମହାମାରୀ ପାଇଁ ଓଡ଼ିଆ ସିନେମା ଏବଂ ଯାତ୍ରା ଜଗତ ବନ୍ଦ ହୋଇ ପଡ଼ିଛି। ବିଶେଷକରି ଓଡ଼ିଆ ଯାତ୍ରା ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଧୀରେ ଧୀରେ ସରକାର ସବୁଥିରୁ ତାଲା ଖୋଲୁଥିଲେ ମଧ୍ୟ ସିନେକଳା ଜଗତରୁ ଏଯାଏଁ ତାଲା ଖୋଲି ନାହାନ୍ତି।

ଓଡ଼ିଆ ଯାତ୍ରା ସହ ପ୍ରାୟ ୧୦ ହଜାର କଳାକାର ଏବଂ କର୍ମଚାରୀଙ୍କ ପେଟପାଟଣା ଜଡ଼ିତ। ମାତ୍ର କରୋନା ମହାମାରୀର ଏହି ସଂକଟ ବେଳାରେ ଦୀର୍ଘ ୬ ମାସ ଧରି ଯାତ୍ରା ଜଗତ ବନ୍ଦ ରହିଛି। ବର୍ତ୍ତମାନ ପୁଣି ମୁଣ୍ଡ ଟେକି ଠିଆ ହେବାପାଇଁ ଅନଲାଇନ ବା ଭର୍ଚୁଆଲ୍ ମାଧ୍ୟମକୁ ଆପଣେଇବାରେ ଲାଗିଛନ୍ତି ଅନେକ ସିନେ ସଂସ୍ଥା। ଚଳଚ୍ଚିତ୍ରକୁ ଓ୍ଵେବ୍-ସିରିଜ୍ ଭାବେ ରିଲିଜ୍ କରାଇ ଦର୍ଶକମାନଙ୍କ ପାଖରେ ପହଞ୍ଚାଉଛନ୍ତି ଚଳଚ୍ଚିତ୍ର ନିର୍ମାତାମାନେ।

ତେବେ ଯାତ୍ରା ଭଳି ମନୋରଞ୍ଜନର ଏକ ବିଶାଳ ମାଧ୍ୟମକୁ କ’ଣ ଭର୍ଚୁଆଲ୍ କରାଯାଇପାରିବ କି ? କରୋନା କାଳରେ ଓଡ଼ିଆ ଯାତ୍ରାର ଭବିଷ୍ୟତ କ’ଣ ହେବ ? ଏହି ବିଷୟକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ଯାତ୍ରା ଜଗତର କିଛି ସଂଗଠକ ଏବଂ କଳାକାରଙ୍କ ସହ ଆଲୋଚନା କରାଯାଇଥିଲା।“ଯାତ୍ରାକୁ ଯଦି ଭର୍ଚୁଆଲ୍ କରାଯିବ ତେବେ ଲୋକେ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରିବେ। ମଞ୍ଚ ତଳେ ବସି ଯାତ୍ରା ଦେଖିବାର ମଜା ଯିଏ ପାଇଛି, ସ୍କ୍ରିନରେ ଦେଖିବାକୁ ସେ କେବେ ବି ପସନ୍ଦ କରିବେନି। ଲାଇଭ୍ ଦେଖିବାର ମଜା ଫଟୋ ଦେଖିବାରେ ମିଳିବନାହିଁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଓଡ଼ିଆ ଯାତ୍ରା କଳାକାର ବାପି ପଣ୍ଡା।“ଯାତ୍ରାକୁ ଯଦି କ୍ୟାମେରାରେ ସୁଟିଂ କରାଯାଇ ଦର୍ଶକଙ୍କ ଆଗକୁ ଅଣାଯିବ ତାହା ଆଉ ଯାତ୍ରା ହୋଇ ରହିବ ନାହିଁ, ସିରିଏଲ୍ ହୋଇଯିବ। ଜାନ୍ ହେ ତୋ ଜାହାନ୍ ହେ। ତେଣୁ ମରି ଉଠିକି ଯାତ୍ରା କରିବା ସମ୍ଭବ ନୁହେଁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ ତଥା ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି।“ଦର୍ଶକଙ୍କ ଉପସ୍ଥିତିରେ ଯାତ୍ରାର ଯେଉଁ ମଜା ଥାଏ, ଭର୍ଚୁଆଲ୍ ହେଲେ ତାହା ଆଉ ରହିବ ନାହିଁ। ଏକପ୍ରକାର କହିବାକୁ ଗଲେ ଯାତ୍ରା ତାର ପୂର୍ବଗୌରବ ଏବଂ ମୌଳିକତା ହରାଇ ବସିବ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ।

“ଯାତ୍ରାକୁ ଭର୍ଚୁଆଲ୍ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ସମ୍ଭବ ନୁହେଁ। ଯାତ୍ରା ହେଉଛି ଏକ ମଞ୍ଚଭିତ୍ତିକ କାର୍ଯ୍ୟକ୍ରମ। ଦର୍ଶକ ଏହାକୁ ଜୀବନ୍ତ ଦେଖିବାକୁ ପସନ୍ଦ କରନ୍ତି। ତେଣୁ ଅନ୍‌ଲାଇନ ମାଧ୍ୟମରେ ଏହାକୁ ଦର୍ଶକଆଦୃତି ମିଳିପାରିବ ନାହିଁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଓଡ଼ିଶା ଯାତ୍ରା ସଂଘର ସମ୍ପାଦକ ଆର୍ କେ ହୀରାଲାଲ୍।

Comment