ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁରେଶ ପଣ୍ଡା ନିଜର ୩୨ ବର୍ଷର ଯାତ୍ରା କ୍ୟାରିୟର ବିଷୟରେ ବଖାଣିଛନ୍ତି।

“ମୋ ବାପାଙ୍କ ଶେଷ ମୁହୂର୍ତ୍ତରେ ବି ମୁଁ ତାଙ୍କ ପାଖରେ ରହିପାରିନଥିଲି। ମୋ ମା’କୁ ମଧ୍ୟ ମୁଁ ମୁଖାଗ୍ନି ଦେଇପାରିନି କି ତା ପାଇଁ ଶୁଦ୍ଧି ହୋଇନି। ଯେଉଁ ସମୟରେ ମୋ ମା ମଶାଣି ଭୁଇଁରେ ଶୋଇଥିଲା ସେ ସମୟରେ ମୁଁ ଷ୍ଟେଜ୍ ଉପରେ ଅଭିନୟ କରୁଥିଲି। ମା ମରିଯିବାର ଦୁଃଖକୁ ମନରେ ଚାପି ରଖି ଲୋକଙ୍କୁ ସୁଖ ଦେବାକୁ ଚେଷ୍ଟା କରିଛି।”କଳିଙ୍ଗ ଗଣନାଟ୍ୟର ଚର୍ଚ୍ଚିତ ଷ୍ଟାର ତଥା ଜଲିଉଡ୍ ଜଗତର ଆଗଧାଡ଼ିର ନାୟକ ସୁରେଶ ପଣ୍ଡା ନିଜର ଯାତ୍ରା କ୍ୟାରିଅରକୁ ବଖାଣି ଏପରି କହିଛନ୍ତି। ସବୁବେଳେ ନିଜର ଦମଦାର ଆକ୍ସନ ପାଇଁ ପରିଚିତ ରହୁଥିବା ସୁରେଶ ପଣ୍ଡାଙ୍କ ଯାତ୍ରା କ୍ୟାରିୟର ଆରମ୍ଭ ହୋଇଥିଲା ୧୯୮୭ ମସିହାରୁ। ଦୀର୍ଘ ୩୨ ବର୍ଷ ଧରି ସେ ତାଙ୍କର ପ୍ରତିଟି ମୂହୁର୍ତ୍ତ ଯାତ୍ରା ପାଇଁ ସମର୍ପିତ କରିଦେଇଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି,“ଯାତ୍ରା କଳାକାରମାନଙ୍କର ଜନ୍ମ କେବଳ ତାଙ୍କର ଦର୍ଶକମାନଙ୍କ ପାଇଁ। ଆମମାନଙ୍କ ଉପରେ କେବଳ ଆମର ଦର୍ଶକମାନଙ୍କର ହିଁ ଅଧିକାର ରହିଛି। ତେଣୁ ପ୍ରତିଦିନ ରାତିରେ ଆମ ଦଃଖକୁ ଚାପିରଖି ଆମେ ଦର୍ଶକଙ୍କୁ ସୁଖ ବାଣ୍ଟିଥାଉ।”ସୁରେଶ ପଣ୍ଡା ନିଜର କ୍ୟାରିଅର ମଧ୍ୟରେ ଯାତ୍ରା ଇଣ୍ଡଷ୍ଟ୍ରୀଜକୁ  ବହୁ ହିଟ୍ ଯାତ୍ରା ଦେଇପାରିଛନ୍ତି। କାଳିଆ ଆଖିରେ ଲୁହ, ଆଖି ତୁ କାନ୍ଦେନା, ମିଛୁଆ ସ୍ୱାମୀ ଓ ସୁରେଶ ପଣ୍ଡା ବନ୍ଧା ପଡ଼ିଛି ଭଳି ନାଟକ ତାଙ୍କ କ୍ୟାରିଅରର ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ ବୋଲି ସେ କହିଛନ୍ତି।

ଗୋପୀ ଗଣନାଟ୍ୟରୁ କ୍ୟାରିଅର ଆରମ୍ଭ କରିଥିବା ସୁରେଶ ନିଜ କ୍ୟାରିଅର ଗଢ଼ିଥିଲେ ତୁଳସୀ ଗଣନାଟ୍ୟରେ। ଲଗାତାର ହିଟ୍ ଯାତ୍ରା ଦେବା ସହିତ ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରୀଜରେ ହୋଇଥିଲେ ସୁପରଷ୍ଟାର। ପରେ ପରେ କଳିଙ୍ଗ ଗଣନାଟ୍ୟର ଯାତ୍ରା ପେଣ୍ଡାଲରେ ପାଦ ଥାପିଥିଲେ ସୁରେଶ ପଣ୍ଡା।ଏଥିସହ ଆଗକୁ ଯାତ୍ରା ଇଣ୍ଡଷ୍ଟ୍ରୀଜକୁ ବିଦାୟ ଦେଇ ସେ ଗୋଟିଏ ନାଟକ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଇଚ୍ଛା ରଖିଥିବା କହିଛନ୍ତି। ଯେଉଁଠି ପିଲାମାନେ ନାଟକ ଶିଖିବା ସହିତ ନିଜର କଳାକୁ ଦେଖାଇ ପାରିବେ। ଏହି ବିଶ୍ୱବିଦ୍ୟାଳୟ ଗଠନ କରିବା ତାଙ୍କ ଜୀବନର ଶେଷ ଲକ୍ଷ୍ୟ ବୋଲି କହିଛନ୍ତି ଯାତ୍ରା ସୁପରଷ୍ଟାର ସୁରେଶ ପଣ୍ଡା।

Comment