ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଡ଼ିଆ ଯାତ୍ରା ଜଗତର ଅନେକ କଳାକାରଙ୍କ ନାଁ’କୁ ନେଇ ନିର୍ମାଣ ହୋଇଛି ଅନେକ ଯାତ୍ରା।

ଯାତ୍ରା ଦୁନିଆର ରୋମାଞ୍ଚକର ଅଭିନୟକୁ ନେଇ ଯେତିକି କଥାବାର୍ତ୍ତା ହୁଏ, ଯାତ୍ରା ବହିର ନାଁ’କୁ ନେଇ ମଧ୍ୟ ଆଜିର ଦିନରେ ସେତିକି ଚର୍ଚ୍ଚା ହୋଇଥାଏ। ଏପରିକି ଅନେକ ସମୟରେ ଯାତ୍ରା ପାର୍ଟିର ମୁଖ୍ୟ କଳାକାରଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଥାଏ ନାଟକର ନାଁ ସହିତ।

ଦୈତାରୀ ପଣ୍ଡା ବାହା ହେଉଛି, ସିଆଇଡି ଦୟା, ମୋଷ୍ଟ ୱାଣ୍ଟେଡ୍ ରାଇମୋହନ, ବଦମାସ ମୀନକେତନ ଭଳି ଅନେକ ନାଟକରେ କଳାକାଳମାନଙ୍କର ନାଁ ଯୋଡ଼ି ହେବା ଯୋଗୁ ଏହି ଯାତ୍ରାଗୁଡ଼ିକ ଲୋକମାନଙ୍କୁ ଯାତ୍ରା ଦେଖିବାକୁ ବାଧ୍ୟ କରିଥାଏ।

ଅନେକ ସମୟରେ ବଲିଉଡ୍, ଓଲିଉଡ୍ ଜଗତରେ କଳାକାରଙ୍କ ନାଁରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ଆପଣ ଜାଣିଥିବେ। ଓଡ଼ିଆ ଯାତ୍ରା ଜଗତରେ ମଧ୍ୟ କଳାକାରମାନଙ୍କ ନାଁ’କୁ ନେଇ ଅନେକ ଯାତ୍ରା ପ୍ରସ୍ତୁତ କରାଯାଇଛି।ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି କୋଣାର୍କ ଗଣନାଟ୍ୟର ସୁପରହିଟ୍ ନାଟକ ଦୈତାରୀ ପଣ୍ଡା ବାହା ହେଉଛି। ଯାତ୍ରା ଜଗତରେ ନିଜର ଦମଦାର ଅଭିନୟ ପାଇଁ ପରିଚିତ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁ’ରେ ଏହି ଯାତ୍ରାର ଟାଇଟଲ ନିର୍ଦ୍ଧାରଣ କରାଯାଇଥିଲା। ଦୈତାରୀ ପଣ୍ଡାଙ୍କ ନାଁ’ରେ ଯାତ୍ରାଟି ହୋଇଥିବାରୁ ଏହାକୁ ଦେଖିବା ପାଇଁ ଦର୍ଶକ ମହଲରେ ମଧ୍ୟ ବେଶ୍ ଉତ୍ସାହ ଜମିଥିଲା।ସେହିପରି ଏଥର ଖଣ୍ଡଗିରି ଯାତ୍ରାରେ ନିଜର ଦମଦାର କମେଡି ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିଥିବା କମେଡି କିଙ୍ଗ ଦୟାଙ୍କ ନାଁ’ରେ ମଧ୍ୟ ଏକ ନାଟକ ହୋଇଛି। ସ୍ୱପ୍ନ ମହଲ ରଙ୍ଗ ମଞ୍ଚରେ ଅଭିନୀତ ହେଉଥିବା ଏହି ଯାତ୍ରାର ନାଁ ରହିଛି ସିଆଇଡି ଦୟା। ଏଥିରେ ଦୟା ଚାରୋଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି। ଜାତୀୟ ସ୍ତରର ଭିକାରୀ, ଗର୍ଭବତୀ ସ୍ତ୍ରୀ ଲୋକ, ପାଲା ଗାୟକ ଚରିତ୍ରରେ ଅଭିନୟ କରି ଦୟା ଲୋକଙ୍କୁ ହସେଇ ହସେଇ ବେଦମ କରିଛନ୍ତି।ଓଡ଼ିଆ ଫିଲ୍ମ ଛାଡ଼ି ଯାତ୍ରା ଜଗତରେ ପାଦ ଥାପିଥିବା ଖଳନାୟକ ରାଇମୋହନ ପରିଡାଙ୍କ ନାଁରେ ନିର୍ମାଣ ହୋଇଛି ଯାତ୍ରା ମୋଷ୍ଟ ୱାଣ୍ଟେଡ୍ ରାଇମୋହନ। ଫିଲ୍ମ ପରି ଯାତ୍ରା ଜଗତରେ ନିଜର ଦମଦାର ଅଭିନୟ ଜାରି ରଖିଥିବା ରାଇମୋହନଙ୍କ ଏହି ଯାତ୍ରା ଦେଖିବାକୁ ଲୋକମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସେହିପରି ଉଷାସୀ ମିଶ୍ର ଟାର୍ଗେଟରେ ରାଇମୋହନ ମଧ୍ୟ ଏହି ଢ଼ାଞ୍ଚାରେ ନିର୍ମାଣ କରାଯାଇଥିଲା। ଅଭିନେତ୍ରୀ ଉଷାସୀ ମିଶ୍ର ଓ ରାଇମୋହନଙ୍କ ନାଁ’ରେ ଏହି ଯାତ୍ରା ନିର୍ମାଣ କରାଯାଇଥିଲା।ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଥିବା ଆଉ ଗୋଟିଏ ନାଟକ ହେଲା ସୁରେଶ ପଣ୍ଡା ବନ୍ଧା ପଡ଼ିଛି। ଯାତ୍ରା ଜଗତର ଆକ୍ସନ ହିରୋ ସୁରେଶ ପଣ୍ଡାଙ୍କ ନାଁ ଉପରେ ଏହି ଯାତ୍ରା ତିଆରି କରାଯାଇଥିଲା। ସେହିପରି ସଞ୍ଜକୁ ଆସିବ ସଞ୍ଜୟ ଭୋଳ ମଧ୍ୟ ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଥିଲା। ଦୁର୍ଦ୍ଧାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଖଳନାୟକ ସଞ୍ଜୟ ଭୋଳଙ୍କ ନାଁ’କୁ ନେଇ ଏହି ଯାତ୍ରା ନିର୍ମାଣ କରାଯାଇଥିଲା। ବାଘାଜତୀନ୍ ଗଣନାଟ୍ୟର ଯାତ୍ରା ମଞ୍ଚରେ ଏହି ନାଟକ ପ୍ରଦର୍ଶନ କରାଯାଇଥିଲା।

ଶେଷରେ ଏହି ଲିଷ୍ଟରେ ସ୍ଥାନ ପାଇଛି ଓଡ଼ିଆ ଯାତ୍ରା ବଦମାସ ମୀନକେତନ। ଓଡ଼ିଆ ଖଳ ଅଭିନେତା ମୀନକେତନ ଯାତ୍ରା ଦୁନିଆରେ ପ୍ରବେଶ କରିବା ପରେ ତାଙ୍କ ନାଁକୁ ନେଇ ଏହି ଯାତ୍ରା ନିର୍ମାଣ କରାଯାଇଥିଲା।

ଏଭଳି ଅନେକ ଯାତ୍ରାକୁ ସୁପରହିଟ୍ କରିଛି ଏହାର ଦମଦାର ଟାଇଟଲ। ବିଶେଷକରି ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ସହ ଯାତ୍ରାର ଟାଇଟଲ ଯୋଡ଼ିହେଲେ ଏହାକୁ ଦେଖିବା ପାଇଁ ମଧ୍ୟ ଦର୍ଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

 

Comment