ସନ୍ତୋଷ କୁମାର

ଆରପାରିରେ ବିଶିଷ୍ଟ ଯାତ୍ରା କଳାକାର ମହେନ୍ଦ୍ର ଦାସ ଓରଫ୍ ଭିକୁ ସେଠ୍‌।

ନବେ ଦଶକର ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାର ଖଳନାୟକ ଚରିତ୍ର ଭିକୁ ସେଠ୍‌ଙ୍କ ସଂଳାପ ଲୋକେ ପ୍ରତି କଥାରେ କହିବାକୁ ଲାଗିଲେ। ‘ଧେତ୍…’, ‘ନାଁଟା ତାହେଲେ ମୀନା…’ ଭଳି ସଂଳାପ ମହେନ୍ଦ୍ର ଦାସଙ୍କୁ ରାତାରାତି ଚର୍ଚ୍ଚିତ କରିଦେଇଥିଲା। ସେହି ନାଟକ ପରଠୁ ମହେନ୍ଦ୍ର ଦାସ ଓଡ଼ିଆ ଯାତ୍ରା ଜଗତ ପାଇଁ ପାଲଟିଗଲେ ‘ଭିକୁ ସେଠ୍‌’। ୫୫ ବର୍ଷ ବୟସରେ ଆଜି ହୁଏତ ମହେନ୍ଦ୍ର ଆଖି ବୁଜିଥାଇ ପାରନ୍ତି; କିନ୍ତୁ ଭିକୁ ସେଠ୍‌ ଚରିତ୍ର ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀଙ୍କ ମନରେ ବଞ୍ଚି ରହିବ ସବୁଦିନ।

ମୋଡ଼ ବଦଳାଇଦେଲା ‘ଶାଗୁଣା ବସିଛି ଡେଣା ମେଲାଇ’

ଭିକୁ ସେଠ୍। ଏଇ ନାଁଟି ଉଚ୍ଚାରଣ କରିବା ମାତ୍ରେ ଓଡ଼ିଶାର ଯାତ୍ରା ପ୍ରେମୀଙ୍କ ଆଖି ଆଗରେ ଯିଏ ଉଭା ହୁଅନ୍ତି, ସେ ହେଲେ ମହେନ୍ଦ୍ର ଦାସ। ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ। ୩୦ ବର୍ଷ ତଳେ ମହେନ୍ଦ୍ର ଦାସ ଗାଁ ଡ୍ରାମାରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।ସଚ୍ଚି ଦାସଙ୍କ ନିର୍ଦ୍ଦେଶିତ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକରେ ଅଭିନୟ କରିବା ପାଇଁ ମହେନ୍ଦ୍ରଙ୍କୁ ସୁଯୋଗ ମିଳିଥିଲା। ଆଉ ଏହି ନାଟକ ହିଁ ତାଙ୍କ ଯାତ୍ରା ଜୀବନର ମୋଡ଼ ବଦଳାଇ ଦେଇଥିଲା। ରାତାରାତି ତାଙ୍କୁ ଏତେ ଲୋକପ୍ରିୟତା ଆଣିଦେଇଥିବା ଏହି ନାଟକ ଯାତ୍ରା ଇତିହାସରେ ଏକ ମାଇଲଷ୍ଟୋନ ହୋଇ ରହିଛି।

୨୯ ବର୍ଷ ତଳେ ମଞ୍ଚସ୍ଥ ହୋଇଥିବା ‘ଶାଗୁଣା ବସିଛି ଡେଣା ମେଲାଇ’ ଏବେ ବି ଦର୍ଶକଙ୍କ ପସନ୍ଦର ନାଟକ। କିଛିବର୍ଷ ତଳେ ଏହା ‘ପୁଣି ଶାଗୁଣା ଫେରିଛି’ ନାଟକ ଭାବରେ ମଞ୍ଚସ୍ଥ ହୋଇଥିଲା।

ଟିକ୍‌ଟକ୍‌ରେ ଭିକୁ ସେଠ୍‌ଙ୍କ ଡାଇଲଗ୍‌ର କ୍ରେଜ୍‌

ଭିକୁ ସେଠ୍‌ଙ୍କ ଖଳନାୟକ ସଂଳାପର ବହୁ ସଂଖ୍ୟାରେ ଦିଓ୍ଵାନା ରହିଛନ୍ତି। ମୋବାଇଲ୍‌ରେ ଟିକ୍‌ଟକ୍‌ ଆପ୍‌ର ଚାହିଦା ବଢ଼ିବା ପରେ ସେଥିରେ ଓଡ଼ିଶାର ଯୁବକମାନେ ଭିକୁ ସେଠ୍‌ଙ୍କ ସଂଳାପକୁ ନେଇ ଅନେକ ଟିକ୍‌ଟକ୍‌ ଭିଡିଓ କରିଛନ୍ତି ଯାହା ବେଶ୍ ଲୋକପ୍ରିୟ ହୋଇଛି। ‘ନାଁଟା ତାହେଲେ ମୀନା, ଭଲ ନାଚିଲ’, ‘ଖୁମ୍ପିଦେଲୁ। ପୁଣି ମୋତେ। ଭଲ କଲୁ। ହେଲେ ତୋର ଏ ଖୁମ୍ପାଟା ମୋ’ ମନର ଲେନ୍ସ ଭିତରେ ଗୋଟେ ଗାର ହୋଇ ରହିଗଲା’ ଭଳି ସଂଳାପ ଟିକ୍‌ଟକ୍‌ରେ ବେଶ୍ ଚହଳ ପକେଇଥିଲା।ଓଡ଼ିଆ ମଲ୍ଟି ଷ୍ଟାରର ସିନେମା ‘ଯଶୋଦା’ରେ ଭିକୁ ସେଠ୍‌

ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାଶଙ୍କ ଖଳନାୟକୀ ଏତେ ଲୋକପ୍ରିୟ ହୋଇଥିଲା ଯେ ପ୍ରଯୋଜକ ବସନ୍ତ ନାୟକ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ହୋଇଥିବା ସିନେମା ‘ଯଶୋଦା’ରେ ମହେନ୍ଦ୍ର ଦାସ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ବହୁଚର୍ଚ୍ଚିତ ସଂଳାପ ‘ଧେତ୍’ (ଯାହା ଲୋକଙ୍କ ମୁହଁରେ ଅପଭ୍ରଂଶ ହୋଇ ‘ଭେ’ ବୋଲି ଶୁଣିବାକୁ ମିଳୁଥିଲା) ‘ଯଶୋଦା’ ସିନେମାରେ ମଧ୍ୟ ଦୋହରାଇଥିଲେ ମହେନ୍ଦ୍ର। ଏହି ସିନେମା ହିଟ୍ ହେବା ସତ୍ତ୍ଵେ ମହେନ୍ଦ୍ର ଦାସଙ୍କୁ ଅନ୍ୟ କୌଣସି ସିନେମାର ଅଫର ଆସି ନ ଥିଲା।

ଟ୍ରେଣ୍ଡ ତିଆରି କରିଥିଲା ଭିକୁ ସେଠ୍‌ଙ୍କ ସଂଳାପ

ଦୀର୍ଘ ବର୍ଷର ଯାତ୍ରା ଜୀବନରେ ମହେନ୍ଦ୍ର ଅନେକ ସଫଳ ଓ ଚର୍ଚ୍ଚିତ ନାଟକରେ ଅଭିନୟ କରିଥିଲେ। କଳିଙ୍ଗ, ଧଉଳି, ଗୌରୀ, ତୁଳସୀ, ସାତସଙ୍ଖ, ଯାତ୍ରା ସୋମାନାଥ, ପୃଥ୍ଵୀ ଅପେରା ଭଳି ଯାତ୍ରା ଅନୁଷ୍ଠାନରେ ସେ ନିଜ ପ୍ରତିଭା ଦେଖାଇଛନ୍ତି।BGUତାଙ୍କର ପ୍ରଥମ ନାଟକ ଥିଲା ‘ଆକାଶ କଇଁଆ ଚିଲିକା ମାଛ’। ପରେ ସେ କନ୍ୟାଦାନ ମହାପୁଣ୍ୟ, ଅନ୍ଧ ଦେଶେ ଗଲି ଦର୍ପଣ ବିକି, ତୁ ଥା ମୁଁ ଯାଉଛି ରୁଷି, ପୁଣି ଶାଗୁଣା ଫେରିଛି, ନଖି ନାନି ପୁଅ ଭଗିଆ, କହ ଗୌର ଦାସ କାହାର ଦୋଷ, କାଳିଆ ଆଖିରେ ଲୁହ, ଭକ୍ତ ସାଲବେଗ, ବଳାତ୍କାର ଭଳି ଅନେକ ଲୋକପ୍ରିୟ ନାଟକ ପାଇଁ ଚର୍ଚ୍ଚିତ ହୋଇଥିଲେ।

୧୯୯୧ ମସିହାରେ ନାଟ୍ୟକାର ରବୀନ୍ଦ୍ର ସାହୁଙ୍କ କାହାଣୀ ଓ ସଚ୍ଚି ଦାସଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ‘ଶାଗୁଣା ବସିଛି ଡେଣା ମେଲାଇ’। ମହେନ୍ଦ୍ର ଦାସ ଏଥିରେ ମୁଖ୍ୟ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହାର ଅଡିଓ ଟେପ୍‌ ବାହାରିବା ପରେ ଏହି ନାଟକର ଚାହିଦା ଖୁବ୍ ବେଶୀ ବଢ଼ିଯାଇଥିଲା। ଭିକୁ ସେଠ୍‌ ଚରିତ୍ରର ସଂଳାପ ସେତେବେଳେ ଲୋକଙ୍କ ଭିତରେ ଗୋଟେ ଟ୍ରେଣ୍ଡ ବା ମାନିଆ ତିଆରି କରିଥିଲା।

Comment