ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡଗିରିରେ ପୁଣି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ଯାତ୍ରା ପାର୍ଟି। ଶୁକ୍ରବାର ଏହାକୁ ବିରୋଧ କରି କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।

କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି ଯେ ପୋଲିସ୍ କମିସନରଙ୍କ ତାଗିଦ୍ ସତ୍ତ୍ୱେ ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏକ ନାଟକରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି। କୋଣାର୍କ ଗଣନାଟ୍ୟରେ ଆଇଟମ୍ ଡ୍ୟାନ୍ସ କରୁଥିବା ଲବଲୀ ନାମକ ଜଣେ ଡ୍ୟାନ୍ସର ଏହି ନୃତ୍ୟ ପରିବେଷଣ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ସେମାନେ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।

ଏଥିସହିତ ସେମାନେ କହିଛନ୍ତି ଯେ ଅଶ୍ଲୀଳ ନୃତ୍ୟ ପରିବେଷଣ ହେବ ନାହିଁ ବୋଲି ଯାତ୍ରା ପାର୍ଟିଙ୍କୁ କଡ଼ା ତାଗିଦ୍ ହୋଇଥିଲା। ଏହାପରେ ମଧ୍ୟ ସେମାନେ ମଞ୍ଚ ଉପରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରୁଛନ୍ତି। ତୁରନ୍ତ ଏହାକୁ ବନ୍ଦ କରାଯିବା ଉଚିତ୍। ନଚେତ୍ କଳିଙ୍ଗ ସେନା ପକ୍ଷରୁ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଗତବର୍ଷ ମଧ୍ୟ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଉପୁଜିଥିଲା। ଆଇଟମ୍ କୁଇନ୍ ରାନୀ ପଣ୍ଡା ଷ୍ଟେଜ୍ ଉପରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିବା ସହିତ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେଥିପାଇଁ ଚଳିତ ବର୍ଷ ଯାତ୍ରାରେ ଅଶ୍ଳୀଳତାକୁ ସ୍ଥାନ ଦିଆଯିବନି ବୋଲି କୁହାଯାଇଥିଲା। ଏପରିକି ସଚ୍ଚିଦାନନ୍ଦ ଗଣନାଟ୍ୟ ଓ ରାନୀ ପଣ୍ଡାଙ୍କୁ ମଧ୍ୟ ଏଥର ଖଣ୍ଡଗିରି ଯାତ୍ରା ମନା କରାଯାଇଥିଲା। ଏହାପରେ ମଧ୍ୟ ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳିଛି।

Comment