ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଥିଲେ ଘରେ ବାଜିଥାନ୍ତା ଶୁଭଶଙ୍ଖ। ହୁଳହୁଳିରେ ଫାଟି ପଡ଼ିଥାନ୍ତା ଗାଁ ପରିବେଶ। ବରବେଶ ସାଜି ଚିକରଦା ଗାଁକୁ ଯାଇଥାନ୍ତେ ଡଙ୍କଲପାଡୁର ଜି ଅଶୋକ। ହେଲେ ରବିବାର ଦିନ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

ଅଶୋକଙ୍କ ନିର୍ବନ୍ଧ ପାଇଁ ଗାଁରୁ ୪୦ ଜଣ ଲୋକ ଏକ ଯାତ୍ରୀବାହୀ ବସ୍‌ରେ ରବିବାର ଦିନ ହସଖୁସିରେ ଯାଉଥିଲେ। ମେଣ୍ଡରାଜପୁର ନିକଟରେ ବସ୍‌ଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୧୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଯେଉଁ ଡଙ୍କଲପାଡୁରେ ମଙ୍ଗଳବାର ଦିନ ଶାହାନାଈ ବାଜିଥାନ୍ତା ସେହି ଗାଁ ଆଜି କାନ୍ଦ ବୋବାଳିରେ ଫାଟି ପଡୁଛି।

କିଏ ବାପାକୁ ହରାଇଛି ତ ଆଉ କିଏ ଭେଣ୍ଡା ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି। ପୁଣି କିଏ ଝିଅ ବୋହୂଙ୍କୁ ହରାଇଛି ତ ଆଉ କିଏ ମା’କୁ ହରାଇଛି। ରବିବାରର ଏହି ଅଭାବନୀୟ ଘଟଣା ପରେ ଡଙ୍କଲପାଡୁ ଗାଁ ସ୍ତବ୍ଧ ପାଲଟି ଯାଇଛି। କାଲିଠୁ ଗାଁର କାହା ଘରେ ଚୁଲି ଜଳୁନି।

ବାହାଘର ପାଇଁ ପ୍ରସ୍ତୁତ ହୋଇଥିବା ଅଶୋକଙ୍କ ଘରେ ବି କାନ୍ଦ ବୋବାଳି ପଡ଼ିଛି। ବାହାଘର ହେବ, ଘରକୁ ବୋହୂ ଆସିବ, ସେହି ଖୁସିରେ ଅଶୋକଙ୍କ ଘରେ ବନ୍ଧୁ ବାନ୍ଧବ ଆସିଥିଲେ। ବାହାଘର ପାଇଁ ଟେଣ୍ଟ ଭିଡ଼ା ବି ସରିଥିଲା। ଭୋଜି ପାଇଁ ବହିନା ଦିଆ ସରିଥିଲା। ହେଲେ ୧୧ କେଭି ବିଦ୍ୟୁତ ତାର ଅଶୋକଙ୍କ ସ୍ୱପତନର ତାଜମହଲକୁ ଭାଙ୍ଗି ଚୁରମାର୍ କରି ଦେଇଛି।

ଡଙ୍କଲୁପାଡୁ ଗାଁର କୁନି ଝିଅ ଝିଲି ସାହୁଙ୍କୁ ମନେପକାଇ ପରିବାର ଲୋକ ଗୁମୁରି କାନ୍ଦୁଛନ୍ତି। କାନ୍ଦୁଛି ତାଙ୍କ ସ୍କୁଲ ଏବଂ ସାଙ୍ଗସାଥୀ। ଶିକ୍ଷକ ଶିକ୍ଷୟତ୍ରୀ ବି ଝିଲିଙ୍କୁ ମନେପକାଉଛନ୍ତି।

ଗତ ଶନିବାର ଦିନ ସ୍କୁଲରେ କାଗଜରେ ସିକୁଳି ତିଆରି କରି ଶିକ୍ଷକଙ୍କୁ ଦେଇଥିଲା। ହେଲେ ରବିବାର ଦିନ ବସ୍‌ ଦୁର୍ଘଟଣାରେ ଝିଲି ସବୁଦିନ ପାଇଁ ମୃତ୍ୟୁର ଶିକୁଳିରେ ବାନ୍ଧି ହୋଇଯାଇଛି। ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଝିଲିକୁ ଏବେ ସମସ୍ତେ ଝୁରୁଛନ୍ତି।

ନିର୍ବନ୍ଧରେ ଯୋଗ ଦେବା ପାଇଁ ଏକ ଯାତ୍ରୀବାହୀ ବସ୍‌ରେ ଡଙ୍କଲପାଡୁ ଗାଁରୁ ପ୍ରାୟ ୪୦ ଜଣ ଲୋକ ଯାଇଥିଲେ। ଗାଁଠାରୁ ମାତ୍ର ୧୨ କିଲୋମିଟର ଦୂର ମେଣ୍ଡରାଜପୁର ଛକରେ ତଳକୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ବସ୍‌। ବସ୍‌ରେ ତାର ବାଜିବାରୁ କିଛି ଅଘଟଣ ହେବ ଆଶଙ୍କା କରି ଡ୍ରାଇଭର ଚମ୍ପଟ ମାରିଥିଲେ। ଏତିରେ ୧୦ ଜଣ ପ୍ରାଣ ହରାଇବା ସହ ୩୦ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comment