ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ ଅପରାଧୀ ଯେତେ ବି ଚାଲାକ ହେଉଥାଉ ନା କାହିଁକି କେଉଁଠି ନା କେଉଁଠି ପ୍ରମାଣ ଛାଡ଼ିଦେଇ ଯାଇଥାଏ। ଏହି ଉକ୍ତି ପୁଣି ସତ ପ୍ରମାଣିତ ହୋଇଛି। ଦୁଇ ମା’ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରି ୪ ବର୍ଷ ଧରି ଖିଅ ଲୁଚାଇଥିବା ଅନୁପଙ୍କର ମୁଖା ଖୋଲିଛି ପୋଲିସ। ଜାଣନ୍ତୁ ହତ୍ୟାକାଣ୍ଡ ପରେ ଅନୁପ କେଉଁଠି ଛାଡ଼ି ଯାଇଥିଲେ ସୁରାକ ଓ ସେହି ସୁରାକ ବଳରେ ପୋଲିସ ପହଞ୍ଚିଥିଲା ଅନୁପଙ୍କ ପାଖରେ।
ମହିଳାଙ୍କ ଶବ ଚିହ୍ନଟ କରିଥିଲେ ସରୋଜ ଦାସ
ଏହି ଡବଲ ମର୍ଡରର ରହସ୍ୟ କାଢ଼ିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ପୋଲିସ ଶବ ଚିହ୍ନଟ କରିବା ପାଇଁ ଆଖ ପାଖ ଗାଁ, ଜିଲ୍ଲା ଓ ଥାନାରେ ଖୋଳତାଡ଼ କରିଥିଲା। ପୋଲିସ ଟିମ୍ ଓଡ଼ିଶା ଝାଡ଼ଖଣ୍ଡ, ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଯାଇ ଲୋକମାନଙ୍କୁ ପଚରାଉଚରା କରିଥିଲା। ପାଖାପାଖି ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା। ମୃତଦେହର ଫଟୋକୁ ବିଭିନ୍ନ ଥାନାରେ ମଧ୍ୟ ଦେଇଥିଲା। ମାତ୍ର ଶେଷରେ ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଜଣେ ପୋଲିସ କନଷ୍ଟେବଲ ହିଁ କଳ୍ପନାଙ୍କ ଫଟୋକୁ ଚିହ୍ନିପାରିଥିଲେ। ସରୋଜ ହେଉଛନ୍ତି କଳ୍ପନାଙ୍କ ଦୂର ସମ୍ପର୍କୀୟ ଭାଇ। ସରୋଜ ଛତିଶଗଡ଼ ପୋଲିସକୁ କଳ୍ପନାଙ୍କ ଫଟୋ ଚିହ୍ନଟ କରି ଦେବା ସହ ରହସ୍ୟ ଖୋଲିଥିଲେ।
ମୋବାଇଲ ନମ୍ବରରୁ ମିଳିଥିଲା ହତ୍ୟାକାରୀର ସନ୍ଧାନ
ଅନୁପ ସାଏ କଳ୍ପନା ଓ ତାଙ୍କ ୧୪ ବର୍ଷର ଝିଅକୁ ଲୁହାରେ ପିଟି ପିଟି ହତ୍ୟା କରି ତାଙ୍କ ଛପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଶବ ଚିହ୍ନଟ ପରେ ମୃତ କଳ୍ପନାଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଫୋନ୍ ନମ୍ବର ଯୋଗାଡ଼ କରିପାରି ଥିଲା ପୋଲିସ। ପୋଲିସ ତାଙ୍କ କଲ ଡିଟେଲ ଯାଞ୍ଚ କରିବା ପରେ ଅନେକ ତଥ୍ୟ ହାସଲ କରିଥିଲା। ଜଣେ ସାଧାରଣ ମହିଳାଙ୍କ ମୋବାଇଲକୁ ଓଡ଼ିଶାର ଜଣେ ରାଜନେତା ତଥା ପୂର୍ବତନ ବିଧାୟକଙ୍କ ନମ୍ବରକୁ ବାରମ୍ବାର ଫୋନ୍ କଲ୍ ଆସିବା ସନ୍ଦେହକୁ ଘନିଭୂତ କରିଥିଲା। ହତ୍ୟାକାଣ୍ଡର ଏକ ଘଣ୍ଟା ପୂର୍ବରୁ ଅନୁପ ମହିଳାଙ୍କ ସହ କଥାବର୍ତ୍ତା କରିଥିବା ପୋଲିସର ସନ୍ଦେହକୁ ଦୃଢ଼ କରିଥିଲା। ଶେଷରେ ପୋଲିସ ଅନୁପଙ୍କ ଉପରେ ନଜର ରଖୁଥିଲା।
ଅନୁପ ଦୁଇଟି ନମ୍ବର ବ୍ୟବହାର କରୁଥିଲେ, ସେଥିରୁ ଗୋଟେ ଫୋନ୍ କଳ୍ପନାଙ୍କ ସହ କଥାବର୍ତ୍ତା କରିବା ପାଇଁ ବ୍ୟବହାର କରୁଥିଲେ।
ପୋଲିସର ସାକ୍ଷୀ ମହିଳାଙ୍କ ପୂର୍ବସ୍ୱାମୀ
କଳ୍ପନା ଓ ତାଙ୍କ ଝିଅର ଶବକୁ ମହିଳାଙ୍କ ପୂର୍ବ ସ୍ୱାମୀ ଚିହ୍ନଟ କରିଥିଲେ। ଏହାପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା।
ସୁନିଲଙ୍କ କହିବା କଥା ଯେ, ସେ ତାଙ୍କ ଝିଅକୁ ଦେଖା କରିବାକୁ ପାଇଁ କଳ୍ପନାଙ୍କ ଘରକୁ ଯାଆନ୍ତି। ସେତେବେଳେ ସେ ଅନେକ ଥର ଅନୁପଙ୍କୁ ସେଠାରେ ଦେଖିଛନ୍ତି। ଅନୁପ କଳ୍ପନା ଉଭୟ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ ବୋଲି ସୁନିଲ କହିଥିଲେ। ଏହି ମତ ପୋଲିସକୁ ଅଧିକ ସହାୟକ ହୋଇଥିଲା।
କଳ୍ପନାଙ୍କ ନିଖୋଜ ରିପୋର୍ଟ କେଉଁ ଥାନାରେ ନଥିଲା
କଳ୍ପନାଙ୍କ ପରିଚୟ ପାଇବା ପରେ ପୋଲିସ ବିଭିନ୍ନ ଥାନାରେ ପଚାରିଥିଲା। ହେଲେ କଳ୍ପନା ଓ ତାଙ୍କ ଝିଅଙ୍କ ନିଖୋଜ ବା ଅପହରଣ ଖବର କୌଣସି ଥାନାରେ ନଥିଲା। ଏପରିକି ଅନୁପ ଓ କଳ୍ପନା ସ୍ୱାମୀ ସ୍ତ୍ରୀ ଭଳି ରହିବା ସତ୍ତ୍ଵେ ସେ କୌଣସି ଅଭିଯୋଗ ଥାନାରେ କରିନଥିଲେ, ଯାହାକୁ ନେଇ ପୋଲିସକୁ ଘଟଣାଟି ଏକ ସୁକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଅନୁମାନ ଲଗାଇବାରେ ସହାୟକ ହୋଇଥିଲା।
ପୋଲିସକୁ ଧରାଛୁଆଁ ଦେଲେନି ଅନୁପ
ଡବଲ ମର୍ଡର ଘଟଣାରେ ଅନୁପଙ୍କ ନାଁ ଉଠିବାରୁ ତାଙ୍କୁ ରାୟଗଡ଼ ପୋଲିସ ପଚରା ଉଚରା ପାଇଁ ଡାକିଥିଲା। ଗତ ୩ ବର୍ଷ ହେଲା ପୋଲିସ ଅନୁପଙ୍କ ପାଖକୁ ନୋଟିସ୍ ପଠାଇ ଆସୁଥିଲା। ହେଲେ ଅନୁପ ଏହାକୁ ଫାଙ୍କି ଚାଲିଥିଲେ। ପୋଲିସ ନିକଟରେ ସେ ହାଜର ହେଉ ନଥିଲେ।
ଅନୁପ ଧରାଛୁଆଁ ଦେଉ ନଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଲା। ଗତ ୬ ମାସ ହେଲା ରାୟଗଡ଼ ପୋଲିସ ଅନୁପଙ୍କ ଗତିବିଧି ଉପରେ ନଜର ରଖିଥିଲା। ଶେଷରେ ଗତ ବୁଧବାର ରାତିରେ ଅନୁପଙ୍କୁ ରାୟଗଡ଼ ଉଠାଇ ନେଇଥିଲା ପୋଲିସ। ଅନୁପଙ୍କୁ ଦିନତମାମ ଚକ୍ରଧରନଗର ଥାନାରେ ପୋଲିସ ଜେରା କରିଥିଲା। ଏହାପରେ ଅନୁପ ତାଙ୍କର ସମସ୍ତ ଦୋଷ ପୋଲିସ ଆଗରେ ମାନିନେଇଥିଲେ।