ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳ୍ପନା-ବବ୍‌ଲି ହତ୍ୟାକାଣ୍ଡର ସିନ୍‌ ରିକ୍ରିଏଟ୍‌ କଲା ପୋଲିସ। ଡେମୋ ଦେଖାଇ ସତ କହିଲା ଡ୍ରାଇଭର ବର୍ଦ୍ଧନ।

ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର। କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ହତ୍ୟା କରିବା ପରେ ପ୍ରମାଣ ଲିଭାଇବା ପାଇଁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ବୋଲେରୋ ଚଢ଼ାଇବା ସହ ଏକ ଇନୋଭା ମଧ୍ୟ ବ୍ୟବହାର କରିଥିଲେ। ଇନୋଭା ବ୍ୟବହାର କରାଯିବା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଛି।

ରବିବାର ଛତିଶଗଡ଼ ପୋଲିସ ବର୍ଦ୍ଧନଙ୍କୁ ଧରି ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଥିଲେ। ଛତିଶଗଡ଼ ପୋଲିସ ବର୍ମନଙ୍କୁ ଧରି ଯେଉଁ ଡେମୋ ପ୍ରଦର୍ଶନ କରିଥିଲା ସେଥିରୁ ଜଣା ପଡ଼ିଛି ଯେ, ଘଟଣା ଦିନ ବୋଲେରୋ ପରେ ପରେ ମୃତକଙ୍କ ଉପରେ ଇନୋଭା ଚଢ଼ାଯାଇଥିଲା। ତେବେ ଉକ୍ତ ଇନୋଭା କାହାର? କିଏ ବସିଥିଲେ? ଓ କେତେଜଣ ଥିଲେ? ତାହାକୁ ନେଇ ଏବେ ଆଶଙ୍କା ବଢ଼ିବାରେ ଲାଗିଛି।

ପୂର୍ବରୁ ଅନୁପ ସାଏଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ଜେଲ ହାଜତରେ ଅନୁପ। ଏହାପରେ ଛତିଶଗଡ଼ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଦ୍ଧନଙ୍କୁ ତାଙ୍କ ଭଡ଼ା ଘରୁ ଉଠାଇ ନେଇଥିଲା।

ରାୟଗଡ଼ ଏସ୍‌ପିଙ୍କ କହିବା ମୁତାବକ, ଜେରା ବେଳେ ବର୍ଦ୍ଧନ ଏହି ଘଟଣାକୁ ଫାଙ୍କୁ ଥିଲା। ହେଲେ ପର ମୁହୂର୍ତ୍ତରେ ବର୍ମନ ସବୁ ସତ ଓଗାଳିଥିଲା। ଏହାପରେ ଘଟଣାର ଡେମୋ ପାଇଁ ପୋଲିସ ବର୍ଦ୍ଧନଙ୍କୁ ଘଟଣାସ୍ଥଳକୁ ନେଇଥିଲା। ଅନୁପ ଓ ବର୍ଦ୍ଧନ କିପରି କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ନେଇ ରାୟଗଡ଼ ଆସିଥିଲେ, ସେଠାରୁ କିପରି ହମିରପୁର ଜଙ୍ଗଲକୁ ନେଇଥିଲେ ଓ ହତ୍ୟା କରିଥିଲେ, ଏ ସମସ୍ତ ଘଟଣାର ଡେମୋ ବର୍ଦ୍ଧନ ଦେଖାଇଥିଲା ବୋଲି ରାୟଗଡ଼ ଏସ୍‌ପି କହିଛନ୍ତି।

ଛତିଛଗଡ଼ ପୋଲିସ କହିଛି ଯେ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ଓ ଏ ଘଟଣାରେ କେଉଁ ଇନୋଭା ଓ ଆଉ କିଏ ସମ୍ପୃକ୍ତି ସେ ନେଇ ଅଧିକ ଖୋଳତାଡ଼ କରାଯିବ।

Comment