ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡରର ଅଧିକ ଛାନ୍‌ଭିନ୍‌ ପାଇଁ ଝାରସୁଗୁଡ଼ା ଆସି ଯାଞ୍ଚ କରିଛନ୍ତି ଛତିଶଗଡ଼ ପୋଲିସର ସ୍ଵତନ୍ତ୍ର ଟିମ୍‌। ଏହି ଟିମ୍‌ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ଏହାସହ ତଦନ୍ତ ପାଇଁ ଅନୁପ ସାଏଙ୍କ ପୁତୁରା ଓ ମୃତ ମହିଳା କଳ୍ପନା ଦାସଙ୍କ ଭାଉଜ ରୀନା ଦାସଙ୍କୁ ମଧ୍ୟ ନୋଟିସ କରିଛନ୍ତି।

ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ଜବତ କରିବାକୁ ଓ ଅନ୍ୟ ତଥ୍ୟ ସଂଗ୍ରହ ପାଇଁ ଅନୁପ ସାଏଙ୍କ ପୁତୁରାକୁ ପୋଲିସ ନୋଟିସ କରିଛି। ମଙ୍ଗଳବାର ଥାନାରେ ହାଜର ହେବାକୁ ତାଙ୍କୁ ନୋଟିସରେ କୁହାଯାଇଛି। ସେହିପରି କଳ୍ପନାଙ୍କ ଭାଉଜ ରୀନା ଦାସଙ୍କୁ ମଧ୍ୟ ଜେରା ପାଇଁ ନୋଟିସ କରାଯାଇଛି।

ଦିନକୁ ଦିନ ଏହି ହତ୍ୟାକାଣ୍ଡ ଘଟଣା ଚାଞ୍ଚଲ୍ୟକର ମୋଡ଼ ନେଉଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତ ରହିଛି ବୋଲି ରାୟଗଡ଼ ଏସ୍‌ପି ସୂଚନା ଦେଇଛନ୍ତି। ଏହାସହ ଏହି ହତ୍ୟାକାଣ୍ଡରେ କେବଳ ବୋଲେରେ ନୁହେଁ ଇନୋଭା ଗାଡ଼ି ମଧ୍ୟ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି।

୨୦୧୬ ମସିହାରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ। ଛତିଶଗଡ଼ ସୀମାନ୍ତ ହମିରପୁରରେ ଏହି ନୃଶଂସ କାଣ୍ଡ ଘଟିଥିଲା। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ନିଜେ ଲୁହା ରଡ୍‌ରେ ପିଟି ପିଟି କଳ୍ପନା ଦାସ ଏବଂ ତାଙ୍କ ଝିଅକୁ ହତ୍ୟା କରିଥିଲେ। ଏହାସହ ପରିଚୟ ନଷ୍ଟ ପାଇଁ ଉଭୟଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦେଇଥିଲେ।

ହେଲେ ସତ କେବେ ଲୁଚି ରହେନା ନ୍ୟାୟରେ ୪ ବର୍ଷ ପରେ ଏହି ହତ୍ୟାକାଣ୍ଡର ଗୁମର ଖୋଲିଛି। ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ। ଏହାସହ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବି ପୋଲିସ ଗିରଫ କରିଛି।

Comment