ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ମଣ୍ଟୁ ମଳିକ। ଆଡମିଟ କାର୍ଡ ବି ଆସିଛି। ଆଡମିଟ କାର୍ଡରେ ମଣ୍ଟୁଙ୍କର ଫଟୋ ମଧ୍ୟ ରହିଛି। ଆଡମିଟ କାର୍ଡରେ ଦସ୍ତଖତ କରି ବିଦ୍ୟାଳୟରୁ ନେବାବେଳେ ଜଣାପଡିଲା ଏଥିରେ ତ୍ରୁଟି ରହିଛି। ଏହା ଜାଣି ଆଡମିଟକାର୍ଡକୁ ପ୍ରଧାନ ଶିକ୍ଷକ ନିଜ ପାଖରେ ରଖି ଦେଇ ମଣ୍ଟୁଙ୍କୁ ଏଥର ମାଟ୍ରିକ ପରୀକ୍ଷା ନଦେବାକୁ କହିଥିବା ଅଭିଯୋଗ ହୋଇଛି।

ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା। କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ଗାଁର ରାଧାଗୋବିନ୍ଦ ବିଦ୍ୟାପୀଠରେ ୬ଷ୍ଠ ଶ୍ରେଣୀଠାରୁ ପାଠ ପଢ଼ି  ଆସୁଛନ୍ତି ମଣ୍ଟୁ ମଳିକ। ଚଳିତ ୨୦୨୦ ମସିହା ମାଟ୍ରିକ ପରୀକ୍ଷା ଦେବାକୁ ସମସ୍ତ ପରୀକ୍ଷା ଫିସ୍ ଜମାକରି ନିଜର ଫଟୋ ଦେଇ ଫର୍ମ ପୂରଣ କରିଥିଲେ ସେ। ହେଲେ ଏହି ପରୀକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା ଖବର ପାଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ମଣ୍ଟୁ।

ପୁଅ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଉଥିବା ଖବର ଶୁଣି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ ଯାଇଥିଲେ ମଣ୍ଟୁଙ୍କ ବାପା କୈଳାଶ ଓ ମା’ ଜୟନ୍ତୀ। ପ୍ରଧାନ ଶିକ୍ଷକଙ୍କ କହିବା କଥା ଯେ, ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଦୁଇଜଣ ମଣ୍ଟୁ ମଳିକ ପାଠ ପଢୁଛନ୍ତି। ହେଲେ କୈଳାଶ ମଳିକଙ୍କ ପୁଅ ମଣ୍ଟୁ ମଳିକଙ୍କ ଫଟୋ ଓ ଦସ୍ତଖତ ରହିଥିବା ଆଡମିଟ କାର୍ଡରେ ଅନ୍ୟ ଜଣେ ଛାତ୍ର ମଣ୍ଟୁ ମଳିକଙ୍କ ବାପାଙ୍କ ନାମ ସୁବୋଧ ମଳିକ ଓ ମା କାମିନୀ ମଳିକ ନାମ ରହିଛି। ତେଣୁ ଏହି ଆଡମିଟ କାର୍ଡରେ ଜୟନ୍ତୀ ମଳିକଙ୍କ ପୁଅ ମଣ୍ଟୁ ମାଟ୍ରିକ ପରୀକ୍ଷା ଦେଇ ପାରିବେନି।

ବିଦ୍ୟାଳୟର ତ୍ରୁଟି ପାଇଁ ତାଙ୍କ ପୁଅର ଜୀବନ ମାଟି ହେଲା ବୋଲି ଅଭିଯୋଗ କରିଛନ୍ତି ମଣ୍ଟୁଙ୍କର ବାପା ମା’। ପ୍ରଧାନ ଶିକ୍ଷକଙ୍କୁ ଦାୟୀକରି ସ୍ଥାନୀୟ ନିକିରାଇ ଥାନାରେ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି।

ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ବିଦ୍ୟାଳୟରେ ନୂଆକରି ଯୋଗ ଦେଇଛି। ମାଟ୍ରିକ ଫର୍ମ ପୂରଣ ସମୟରେ ସେମାନଙ୍କର ଶ୍ରେଣୀ ଶିକ୍ଷକଙ୍କୁ ଫର୍ମ ପୂରଣ ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଦୁଇଜଣ ଛାତ୍ର ମଣ୍ଟୁ ମଳିକ ଥିବାରୁ, ଏହି ତ୍ରୁଟି ହୋଇଛି।

LEAVE A REPLY

Please enter your comment!
Please enter your name here