ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରମ୍ବାର ବୟାନ ବଦଳାଉଛନ୍ତି ଅନୁପ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧମାନ।

୨୦୧୬ କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ଟୁଇଷ୍ଟ ଆସୁଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବାରମ୍ବାର ବୟାନ ବଦଳାଉଥିବାରୁ ଛତିଶଗଡ଼ ପୋଲିସ ଅଡୁଆରେ ପଡୁଛି। ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସର ତଦନ୍ତକାରୀ ଟିମ୍‌ ଉଦ୍ୟମ କରୁଥିଲେ ମଧ୍ୟ କିଛି ସୁରାକ୍‌ ମିଳୁନି। ଫଳରେ ଅନୁପ କୋର୍ଟରୁ ଖସିଯାଇ ପାରନ୍ତି ବୋଲି କୁହାଯାଉଛି।

ଏପଟେ ଅନୁପ ସାଏଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ବିଜୟ ସରାଫ୍‌ଙ୍କ ମନ୍ତବ୍ୟ ଆସିଛି। ଅନୁପ ସାଏଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି। ସେସନ୍ସ କୋର୍ଟରେ ଜାମିନ୍‌ ଆବେଦନ କରାଯିବ ବୋଲି ସେ କହିଛନ୍ତି।

‘‘ଅନୁପ ସାଏଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ସେ କହିଥିଲେ ଯେ ମୁଁ ନିର୍ଦ୍ଦୋଶ। ମତେ ଫସାଇ ଦିଆଯାଇଛି’’, ଏହା ହେଉଛି ଅନୁପ ସାଏଙ୍କ ଓକିଲ ବିଜୟ ସରାଫ୍‌ଙ୍କ ମନ୍ତବ୍ୟ।

ଏପଟେ ବିଳାସପୁର ଆଇଜି ଅନୁପଙ୍କ ନାର୍କୋ ଟେଷ୍ଟ ହେବ ବୋଲି କହିଛନ୍ତି। ନାର୍କୋ ଟେଷ୍ଟ ହେଲେ ଅନୁପ ସବୁ ସତ କହିବେ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ ଅନୁପ ଏବଂ ତାଙ୍କ ଡ୍ରାଇଭରଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନିଆଯିବ ଏବଂ ସେମାନେ ଡେମୋ ଦେଖାଇବେ ବୋଲି ଆଇଜି କହିଛନ୍ତି।

ଗୋଟିଏପଟେ ଅନୁପ ସାଏ ତାଙ୍କ ଓକିଲଙ୍କୁ ନିଜକୁ ନିର୍ଦ୍ଦେଶ କହୁଥିବା ବେଳେ ଅନ୍ୟପଟେ ପୋଲିସ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ଫଳରେ ଏହି ଡବଲ ମର୍ଡର ଘଟଣା ଅଧିକ ଜଟିଳ ହୋଇଯାଇଛି। ଯଦି ପୋଲିସ ଅନୁପଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଏକାଠି କରିନପାରେ ତାହାଲେ ସେ କୋର୍ଟରୁ ଖସି ଯାଇପାରନ୍ତି ବୋଲି କୁହାଯାଉଛି।

ଛତିଶଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍‌ ଝାରସୁଗୁଡ଼ା ଆସି ଛାନ୍‌ଭିନ୍‌ କରିଛି। ଅନୁପଙ୍କ ପୁତୁରାକୁ ମଧ୍ୟ ନୋଟିସ ଦେଇଛି। ଆବଶ୍ୟକ ପଡ଼ିଲେ ପୁଣିଥରେ ଛତିଶଗଡ଼ ପୋଲିସ ଓଡ଼ିଶା ଆସିପାରେ। ତେବେ ଆଗକୁ ଅନୁପ ସାଏଙ୍କ ମାମଲା କେଉଁ ମୋଡ଼ ନେଉଛି ତାକୁ ହିଁ ଅପେକ୍ଷା।

୨୦୧୬ରେ ଝାରସୁଗୁଡ଼ା ଓ ଛତିଶଗଡ଼ ସୀମାନ୍ତ ହମିରପୁରଠାରେ ମା’, ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲା ଚକ୍ରଧରନଗର ପୋଲିସ। ବୀଭତ୍ସ ଭାବେ ହତ୍ୟା କରାଯାଇଥିବାରୁ ଉଭୟଙ୍କ ପରିଚୟ ମଧ୍ୟ ମିଳିପାରୁ ନଥିଲା। ଏଥିପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ୬ଟି ରାଜ୍ୟର ପ୍ରାୟ ୭୦୦ ଲୋକଙ୍କୁ ପଚରା ଉଚରା କରିଥିଲା। ଶେଷରେ ମୃତ ମହିଳାଙ୍କ ପରିଚୟ ମିଳିଥିଲା।

ମୃତ ମହିଳା ଏବଂ ତାଙ୍କ ଝିଅ ବ୍ରଜରାଜନଗରର ବୋଲି ପୋଲିସ ଜାଣିବାକୁ ପାଇ ତାଙ୍କ କଲ୍‌ ରେକର୍ଡ ଯାଞ୍ଚ କରିଥିଲା। ଏଥିରୁ ଅନୁପ ସାଏଙ୍କ ସଂପୃକ୍ତ ଜଣାପଡ଼ିଥିଲା। ହେଲେ ଅନୁପଙ୍କୁ ଗିରଫ କରିବା ପାଇଁ ପୋଲିସ ପାଖରେ ପ୍ରମାଣ ନଥିଲା। ଏଥିପାଇଁ ପୋଲିସକୁ ୪ ବର୍ଷ ଲାଗି ଯାଇଥିଲା। ଶେଷରେ ଅନୁପଙ୍କୁ ପୋଲିସ ଗିରଫ କରିଥିଲା।

ଅନୁପ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ସୂଚନା ଦେଇଥିଲେ। ଏହି ହତ୍ୟାକାଣ୍ଡରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧମାନ ଟପ୍ପୋଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ଉଠାଇ ନେଇଛି। ଅନୁପ ଏବେ ପୋଲିସ ରିମାଣ୍ଡରେ ଅଛନ୍ତି। ହେଲେ ବାରମ୍ବାର ଅନୁପ ଏବଂ ତାଙ୍କ ଡ୍ରାଇଭର ବୟାନ ବଦଳାଉଥିବାରୁ ପୋଲିସ ଅଡୁଆରେ ପଡୁଛି।

Comment