ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀରୁ ବଞ୍ଚିବାକୁ ନିର୍ଭୟା ଦୋଷୀ ନୂଆ ନୂଆ ଚାଲ୍‌ କରୁଛନ୍ତି। ବର୍ତ୍ତମାନ ଦୋଷୀ ବିନୟ ଶର୍ମାଙ୍କ ତରଫରୁ ତାଙ୍କ ଓକିଲ ଏପି ସିଂହ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଏହି ପିଟିସନ୍‌ରେ ବିନୟଙ୍କ ମାନସିକ ସ୍ଥିତି ଖରାପ ରହିଛି ଓ ତାଙ୍କୁ ଚିକିତ୍ସା ପାଇଁ ଆବେଦନ କରାଯାଇଛି।

ବିନୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆଘାତ ଏତେ ଜୋରରେ ରହିଥିଲା ଯେ ବର୍ତ୍ତମାନ ବିନୟ ତାଙ୍କ ମା’ଙ୍କୁ ମଧ୍ୟ ଚିହ୍ନି ପାରୁନାହାନ୍ତି। ଏହି ରୋଗ ପାଇଁ ତାଙ୍କୁ ସ୍କିଜୋଫ୍ରେନିଆ ମଧ୍ୟ ହୋଇପାରେ। ତାଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଇ ଓ ତାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରାଯିବା ଉଚିତ ବୋଲି ଦୋଷୀଙ୍କ ଓକିଲ କହିଛନ୍ତି।

ଗତ ୧୬ ତାରିଖ ଦିନ ବିନୟ ତିହାର ଜେଲରେ ନିଜ ସେଲରେ ଥିବା ବେଳେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଜେଲର ସୁରକ୍ଷା କର୍ମୀମାନେ ତାଙ୍କୁ ଗୁରୁତର ଆଘାତ ଲାଗିବାରୁ ରକ୍ଷା କରିଥିଲେ। ଏହାପରେ ଡାକ୍ତରଙ୍କୁ ବିନୟର ସେଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ସେ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ଦୁଇଥର ଡେଥ୍‌ ଓ୍ଵାରେଣ୍ଟ ଘୁଝ୍ଚିବା ପରେ ବର୍ତ୍ତମାନ ତୃତୀୟ ଡେଥ୍‌ ଓ୍ଵାରେଣ୍ଟ ଦାରି ହୋଇଛି। ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି। ଏଥିପାଇଁ ନିର୍ଭୟା ଦୋଷୀ ନୂଆ ଚାଲ୍‌ କରୁଥିବା କୁହାଯାଉଛି।

Comment