ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରୀ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ସେହିପରି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠରେ ମଧ୍ୟ ପାଳନ ହେଉଛି ମହାଶିବରାତ୍ରୀ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତେଶ୍ଵର ପୀଠକୁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ କାରଣରୁ ଚଳଚଞ୍ଚଳ ହୋଇଛି ବାବାଙ୍କ ପୀଠ। ଭକ୍ତମାନେ ଲମ୍ଵା ଲାଇନ କରି ହର ହର ମହାଦେବ କହି ବାବାଙ୍କୁ ଦର୍ଶନ ପାଇଁ ଯାଉଛନ୍ତି।

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର। ଜୟପୁରଠାରୁ ବୈପାରିଗୁଡ଼ା ରାସ୍ତା ଦେଇ ୬୫ କିଲୋମିଟର ପାହାଡ଼ ଜଙ୍ଗଲ ରାସ୍ତା ଅତିକ୍ରମ କଲାପରେ ପଡ଼େ ଗୁପ୍ତେଶ୍ଵର। ପାହାଡ଼ ସୁଡୁଙ୍ଗ ଭିତରେ ରହିଛନ୍ତି  ବାବା ଗୁପ୍ତେଶ୍ଵର। ଆଜି ଶିବରାତ୍ରୀ ପାଇଁ ଗୁପ୍ତେଶ୍ଵର ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି।

ଅନ୍ୟ ପଟେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଦିନ ତମାମ ପ୍ରବଳ ଜନସମାଗମ ଦେଖିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପତ ବନ୍ଦୋବସ୍ତ କରାଯାଇଛି। ଭଗବାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଏହାସହ ପାନୀୟଜଳ ବ୍ୟବସ୍ଥା ଓ ଭକ୍ତଙ୍କ ସୁବିଧା ପାଇଁ ଆମ୍ଵୁସଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜାଗର ପାଇଁ ଗୁପ୍ତେଶ୍ଵର ପୀଠରେ ଭୋରରୁ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି। ସେହିପରି ସନ୍ଧ୍ୟା ୭ଟା ପରେ ଦର୍ଶନ ବନ୍ଦ ରହିବ ଏବଂ ରାତି ୧୨ଟା ବେଳେ ମହାଦୀପ ଉଠିବ। ଏନେଇ ଏବେଠୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। କୁହାଯାଏ ଯେ ଗୁପ୍ତେଶ୍ଵର ପାହାଡ଼ରେ ଥିବା ଗୁମ୍ଫା ଭିତରେ ମହାପ୍ରଭୁ ଗୁପ୍ତ ଅବସ୍ଥାରେ ବାସ କରନ୍ତି। ଏହି କାରଣରୁ ଏହିପୀଠର ନାଁ ଗୁପ୍ତେଶ୍ଵର ରଖାଯାଇଛି।

Comment