ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେଲେ ୧ ହଜାର ଟଙ୍କା, ହେଲେ ପାଖରୁ ମିଳିଲା ୧୩ ଲକ୍ଷ ୧୦ ହଜାର ୬୯୫ ଟଙ୍କା। ଫଳରେ ଭିଜଲାନ୍ସ ହାତରେ ଧରାପଡି ଗିରଫ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ତହସିଲ କାର୍ଯ୍ୟାଳୟର ନାଜର ଚନ୍ଦ୍ରଶେଖର ହାଂସଦା। ଜଣେ ବ୍ୟକ୍ତିଙ୍କଠାରୁ ୧ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲ ଅନ୍ତର୍ଗତ ଓଳିହା ନିଳକଣ୍ଠପୁର ଗାଁର ଦିଲ୍ଲୀପ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ବ୍ରେନ ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି। ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇପାରୁନି। ଦିଲ୍ଲୀପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ଆବେଦନ କରିଥିଲେ। ଦିଲ୍ଲୀପ ଚିକିତ୍ସା ଖର୍ଚ୍ଚ ଉଦ୍ଦେଶ୍ୟରେ ୩୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମହାକାଳପଡା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆସିବାର ୬ ମାସ ବିତିଲାଣି। ଏହି ଟଙ୍କାକୁ ଚେକ୍ ଆକାରରେ ଦିଲ୍ଲୀପଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ରହିଥିଲା।

୧ ହଜାର ଟଙ୍କା ଲାଞ୍ଚ ନଦେଲେ ଚେକ୍ ଦେବାକୁ ମନା କରିଆସୁଥିଲେ ନାଜର୍ ଚନ୍ଦ୍ରଶେଖର ହାଂସଦା ବୋଲି ଅଭିଯୋଗ କରିଛନ୍ତି ଦିଲ୍ଲୀପ ପଟ୍ଟନାୟକ। ଲାଞ୍ଚୁଆ କର୍ମଚାରୀ ଚନ୍ଦ୍ରଶେଖରଙ୍କୁ ପାନେ ଦେବାକୁ ଦିଲ୍ଲୀପ କେନ୍ଦ୍ରାପଡ଼ା ସବଡିଭିଜନ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ଭିଜଲାନ୍ସ ବିଭାଗର ସହାୟତା ନେଇଥିଲେ। ଆଜି ଦିଲ୍ଲୀପଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ଟଙ୍କାର ଚେକ ଦେବାକୁ ମହାକାଳପଡା ତହସିଲର ନାଜର୍ ଚନ୍ଦ୍ରଶେଖର ହାଂସଦାଙ୍କୁ ୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜଲାନ୍ସ ଚଢ଼ାଉକରି ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା।

ଏହାଛଡ଼ା ତାଙ୍କ ଆଲମିରାରୁ ୧୩ ଲକ୍ଷ ୬୯୫ ଟଙ୍କା ଜବତ କରିଛି ଭିଜଲାନ୍ସ। ଏହି ସମସ୍ତ ଟଙ୍କା ମଧ୍ୟରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ରାଜସ୍ୱ ଟଙ୍କା ବୋଲି ହିସାବ ଦେଇଛନ୍ତି ଚନ୍ଦ୍ରଶେଖର। ଅବଶିଷ୍ଟ ୨ ଲକ୍ଷ ୬୦ ହଜାର ୬୯୫ ଟଙ୍କାର ହିସାବ ମିଳି ପାରିନାହିଁ। ତେବେ ଏହି ସମସ୍ତ ଟଙ୍କା ସରକାରୀ ଟଙ୍କା ବୋଲି ଚନ୍ଦ୍ରଶେଖର ଦାବି କରୁଥିବା ବେଳେ କେଉଁ ସୁତ୍ରରୁ ଏହି ରାଜସ୍ୱ ଟଙ୍କା ଆଦାୟ ହୋଇଛି ତାହାର ହିସାବ ଦେଇ ପାରିନାହାନ୍ତି ଚନ୍ଦ୍ରଶେଖର।

ସରକାରୀ ହିସାବ ମିଳୁଥିବା ୧୦ ଲକ୍ଷ ୫୦ ହଜାର ଟଙ୍କାକୁ ଭିଜଲାନ୍ସ ବିଭାଗ ମହାକାଳପଡ଼ା ତହସିଲଦାରଙ୍କୁ ଜିମା ଦେଇଥିବା ବେଳେ ଅବଶିଷ୍ଟ ୨ଲକ୍ଷ ୬୦ ହଜାର ୬୯୫ ଟଙ୍କାକୁ ଜବତ କରିଛି ଭିଜଲାନ୍ସ। ଏହାସହ ନାଜର ଚନ୍ଦ୍ରଶେଖର ହାଂସଦାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଥିବା ଭିଜଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁର ସୂଚନା ଦେଇଛନ୍ତି।

Comment