ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ପଡ଼ା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମହାସ୍ଵାସ୍ଥ୍ୟ ମେଳାରେ ମିଳିଛି ବିଷାକ୍ତ ଏକ୍ସପାଇରୀ ଔଷଧ। ଶିଶୁ ବିଭାଗ ଷ୍ଟଲରେ ରୋଗୀମାନଙ୍କୁ ବିତରଣ ପାଇଁ ଗଚ୍ଛିତ ରହିଥିବା ଥାକରେ ପର୍ଯ୍ୟାପ୍ତ ପରିମାଣର ଏକ୍ସପାଇରୀ ଔଷଧ ମିଳୁଥିବା ଅଭିଯୋଗ ହୋଇଛି। ଏହି ଏକ୍ସପାଇରୀ ଔଷଧ କେତେଜଣ ଶିଶୁ ରୋଗୀମାନଙ୍କୁ ବିତରଣ କରାଯାଇଛି ତାହାର ସଠିକ ତଥ୍ୟ ମିଳି ପାରିନି।

ଏକ ସିରପ୍ ଖୋଳରେ ମୁଦ୍ରିତ ତଥ୍ୟ ଅନୁସାରେ ଏହି ଔଷଧଟି ୨୦୧୮ ମସିହା ଫେବ୍ରୁଆରି ମାସରେ ପ୍ରସ୍ତୁତ କରିଯାଇଥିଲା। ଏହାର ଅବଧି ୨୦୨୦ ମସିହା ଜାନୁଆରି ମାସରେ ଶେଷ ହୋଇଯାଇଛି। ତେଣୁ ଏହି ଔଷଧଟି ବ୍ୟବହାର ଅଯୋଗ୍ୟ ହୋଇପଡ଼ିଛି। ଏହି ଔଷଧଗୁଡ଼ିକ କିଏ ଓ କେଉଁଠୁ ଆଣିଥିଲା ତାହାର ଉତ୍ତର ଦେଇ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ଏହି ଔଷଧ ଦେଖି ରୋଗୀମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଏକ୍ସପାଇରୀ ଔଷଧ କେତେ ଜଣ ରୋଗୀମାନଙ୍କୁ ଦିଆଯାଇଛି ତାହା ଜଣାପଡ଼ିନି। ଅନ୍ୟ ରୋଗ ବିଭାଗର ଔଷଧ ବିତରଣ କେନ୍ଦ୍ରମାନଙ୍କରେ ଏହି ଏକ୍ସପାଇରୀ ଔଷଧ ମଧ୍ୟ ମିଳିବା ନେଇ ଦ୍ଵନ୍ଦ୍ଵରେ ପଡ଼ିଯାଇଛନ୍ତି ରୋଗୀ। ସରକାର ରୋଗୀମାନଙ୍କ ପାଇଁ ଔଷଧ କିଣିବାକୁ ଲକ୍ଷଲକ୍ଷ ଟଙ୍କା ଦେଇଥିବା ବେଳେ, ରୋଗୀ ମାନଙ୍କୁ ଫିଜିସିଆନ ସାମ୍ପୁଲ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।

ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁରର ବଡ଼ପଡ଼ା ମହାବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ମହାସ୍ଵାସ୍ଥ୍ୟ ମେଳା ଆରମ୍ଭ ହୋଇଛି। ଦୁଇଦିନିଆ ଏହି ମେଳାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍‌ଘାଟନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଅଭିଜ୍ଞ ଡାକ୍ତରମାନଙ୍କ ସହିତ କଟକ ବଡ଼ ଡାକ୍ତରଖାନାରୁ ୩୫ ଜଣ ବରିଷ୍ଠ ଡାକ୍ତରମାନେ ଯୋଗଦେଇ ରୋଗୀମାନଙ୍କର ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି ମେଳାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ।

Comment