ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ଘାରିଛି କୋରନା ଭାଇରସ୍ ଭୟ। ଉତ୍ତରପ୍ରଦେଶର ନୋଏଡା ଏବଂ ଆଗ୍ରାରେ କୋରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସାଧାରଣ ଲୋକଙ୍କୁ ଭୟ ଘାରିଛି। ଏହି ଭାଇରସ୍ କେମିତି ଅଧିକ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସରକାର ସତର୍କ ହୋଇପଡ଼ିଛନ୍ତି।
ଦିଲ୍ଲୀ ଏୟାରପୋର୍ଟରେ ଯାଞ୍ଚ କଡ଼ାକଡ଼ି ହୋଇଥିବା ବେଳେ କେତେକ ଦେଶର ଭିସା ବାତିଲ କରାଯାଇଛି। ସବୁଠି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ଦୁଇ ଜଣ ରୋଗୀ ସନ୍ଦେହରେ ରହିଛନ୍ତି ସେମାନଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି। ରିପୋର୍ଟ ଆସିଲା ପରେ ଜଣାପଡ଼ିବ ଏମାନେ କୋରୋନା ଆକ୍ରାନ୍ତ କି ନାହିଁ।
ଏୟାରପୋର୍ଟରେ ଯାଞ୍ଚ, ଭିସା ବାତିଲ
କୋରୋନା ଭୟ ପାଇଁ ଦିଲ୍ଲୀ ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ବିଶେଷକରି ଦେଶ ବାହାରୁ ଆସୁଥିବା ଲୋକଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯାଞ୍ଚ କରୁଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଛଡ଼ା ଯାଉଛି। ଏପଟେ ୪ଟି ଦେଶରୁ ଭାରତ ଆସିବାକୁ ଆସିବାକୁ ଚାହୁଁଥିବା ଲୋକଙ୍କର ଭିସା ବାତିଲ କରିଛି ବିଦେଶ ମନ୍ତ୍ରାଳୟ। ଇଟାଲୀ, ଇରାନ, ଦକ୍ଷିଣକୋରିଆ, ଜାପାନରୁ ଆସିବାକୁ ଚାହୁଁଥିବା ଯାତ୍ରୀଙ୍କୁ ଯେଉଁ ଭିସା ଦିଆଯାଇଥିଲା ତାହାକୁ ବାତିଲ କରିଦିଆଯାଇଛି। ମାର୍ଚ୍ଚ ୩ ତାରିଖ ପୂର୍ବରୁ ଯେଉଁ ଭିସା ଦିଆଯାଇଥିଲା ତାହାକୁ ବାତିଲ କରାଯାଇଛି। ଏହାସହ ଏହିସବୁ ଦେଶମାନଙ୍କୁ ଭାରତୀୟ ନାଗରିକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି।
ମୋଦୀଙ୍କ ସହ କଥା ହେଲେ କେଜରିୱାଲ
କୋରୋନା ଭାଇରସ୍ର ଭୟାବହତାକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଭୂତାଣୁ ଭୟଙ୍କର ହୋଇଥିବାରୁ ଏଥିପ୍ରତି ଆଗୁଆ ସତର୍କତା ଅବଲମ୍ବନ କରିବାକୁ ଆଲୋଚନା ହୋଇଛି। କୋରୋନାକୁ ଭୟଭୀତ ନହେବାକୁ ଟୁଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ। ବାହାରୁ ଭାରତ ଆସୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କହିଛନ୍ତି ମୋଦୀ।
କୋରୋନା ଭାଇରସ୍ରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଚୀନରେ ହିଁ ୨ ହଜାର ୯୪୪ ଲୋକଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣକୋରିଆରେ ୩୭୪ଟି ନୂଆ କେସ୍ ସାମ୍ନାକୁ ଆସିଛି।














