ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ବର୍ଷ ହେଲା ନିଖୋଜ ଥିବା ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ପ୍ରେମିକ ସହିତ ଫେରାର ମହିଳାଙ୍କୁ କୋର୍ଟରେ ହାଜର କରିଛି ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ। ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରି ପ୍ରେମିକ ସହିତ ଫେରାର ହୋଇଯାଇଥିଲେ ଯୁବତୀ।

୨୦୧୩ ମସିହା ଫେବ୍ରୁଆରି ୭ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସମାଗୋଳ ଗାଁର ପ୍ରହଲ୍ଲାଦ ମହାରଣାଙ୍କ ଝିଅ ମିଲ୍ଲି କେନ୍ଦ୍ରାପଡ଼ା ପାଟକୁରା ଥାନା ବାମରା ଗାଁର ଗନ୍ଧର୍ବ ସୂତାରଙ୍କ ପୁଅ ଅଭୟ ସୂତାରଙ୍କୁ ବିବାହ କରିଥିଲେ। ବିବାହର ୧୫ ଦିନ ପରେ ଉଭୟ ସ୍ଵାମୀ-ସ୍ତ୍ରୀ ଶଶୂର ଘରକୁ ବୁଲି ଯାଇଥିଲେ। ଘରେ ପହଞ୍ଚି ମିଲ୍ଲି ବାପା-ମା’ଙ୍କ ନିକଟରେ ଶାଶୂଘର ଲୋକଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ।

ସେହିଦିନ ସନ୍ଧ୍ୟାରେ ମିଲ୍ଲିଙ୍କ ବାପା ଝିଅ-ଜ୍ଵାଇଁଙ୍କୁ ବୁଝାସୁଝା କରି ଶାଶୂଘରେ ଛାଡ଼ିଦେଇ ଯାଇଥିଲେ। ଶାଶୂଘରେ ପହଞ୍ଚି ସେହି ଦିନ ରାତିରେ ମିଲ୍ଲି ତାଙ୍କ ଶାଶୂଘରୁ କାହା ସହିତ ଫେରାର ହୋଇଯାଇଥିଲେ। ବୋହୁକୁ ଖୋଜିଖୋଜି ପାଇନଥିଲେ ତାଙ୍କ ଶାଶୂଘର ଲୋକେ। ସଙ୍ଗେସଙ୍ଗେ ମିଲ୍ଲିଙ୍କ ବାପ ଘରକୁ ଖବର ଦେଇଥିଲେ ଅଭୟଙ୍କ ପରିବାର ଲୋକ।

ଏନେଇ ଖବର ପାଇବା ପରେ ଝିଅଘର ଲୋକେ ବହୁତ ଖୋଜାଖୋଜି କରିଥିଲେ। ମିଲ୍ଲିଙ୍କୁ ନପାଇବାରୁ ଝିଅଘର ଲୋକେ ଏନେଇ ଶାଶୂଘର ନାଁରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ବାହାଘରଠାରୁ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଶାଶୂଘର ଲୋକେ ମିଶି ହତ୍ୟାକରି ଶବକୁ କେଉଁଠି ଲୁଚାଇ ଦେଇଥିବା ମିଲ୍ଲିଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।

ପୋଲିସ ଏହି ଅଭିଯୋଗରେ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଆଇପିସିର ଦଫା ୪୯୮’ଏ’, ୪୯୪, ୩୦୨, ୩୦୪’ବି’ ଓ ୩୪ରେ ଆଉ ଏକ ମାମଲା ଦାୟର କରି କରି ମିଲ୍ଲିଙ୍କ ସ୍ଵାମୀ ଅଭୟଙ୍କୁ ଯୌତୁକ ନିର୍ଯାତନା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭୟ ଏହି ମାମଲାରେ ଜେଲରେ ୭ ଦିନ ରହି ଜାମିନରେ ଖଲାସ ହୋଇଥିଲେ। ଏହାଛଡା ପରିବାରର ଅନ୍ୟ ୪ଜଣ ସଦସ୍ୟ ମଧ୍ୟ ହାଇକୋର୍ଟରୁ ଜାମିନରେ ଆସିଥିଲେ।

ଏହା ମଧ୍ୟରେ ବିତି ଯାଇଛି ୭ ବର୍ଷ। ମାମଲାର ଫାଇନାଲ ଚାର୍ଜସିଟି ଦାଖଲ କରିପାରିନି ପୋଲିସ। ଶେଷରେ ମିଲ୍ଲିଙ୍କ ସନ୍ଧାନର ପିଛା କରି ପିପିଲିରେ ନିଜ ପ୍ରେମିକ ରାଜୀବଲୋଚନ ମହାରଣାଙ୍କ ସହ ରହୁଥିବା ମିଲ୍ଲିଙ୍କୁ ଉଦ୍ଧାର କରି ପାଟକୁରା ଥାନାକୁ ଆଣିଥିଲା। ଏହାପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଛି। ନିଜ ଇଚ୍ଛାରେ ଉଭୟ ବିବାହ କରିଥିବାରୁ ସେମାନଙ୍କୁ ଛାଡ଼ିଦିଆଯାଇଛି।

ରାଜୀବଲୋଚନ ମହାରଣାଙ୍କ ଘର କଟକ ଜିଲ୍ଲା ଚୌଦ୍ୱାର ଥାନାର ବଡ଼ପଡ଼ା ଗାଁରେ। ପପୁ ସେତେବେଳେ ମିଲ୍ଲିଙ୍କ ଘର ପାଖରେ ରହି ଡ୍ରାଇଭର କାମ କରୁଥିଲା। ଏହି ସମୟରେ ପପୁ ଓ ମିଲ୍ଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଝିଅର ଇଚ୍ଛା ବିରୁଦ୍ଧରେ ବାପା ପ୍ରହଲ୍ଲାଦ, ମିଲ୍ଲୀଙ୍କୁ ପାଟକୁରା ଥାନା ଅନ୍ତର୍ଗତ ବାମରା ଗାଁର ଅଭୟ ସୂତାରଙ୍କୁ ବିବାହ କରି ଦେଇଥିଲେ। ବିବାହରେ ଅସନ୍ତୁଷ୍ଟ ଥିବା ମିଲ୍ଲି ବିବାହର ୧୫ ଦିନପରେ ଯୌତୁକ ନିର୍ଯାତନାର ନାଁରେ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲା।

Comment