ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଙ୍କଟାପନ୍ନ ଅବସ୍ଥାରେ ଥିବା ୟେସ ବ୍ୟାଙ୍କର ସ୍ଥିତି ପାଇଁ ଅନିଲ ଅମ୍ବାନି ଓ ତାଙ୍କର ସବୁ ଯାକ କମ୍ପାନି ଦାୟୀ ବୋଲି କୁହାଯାଉଛି। ଅନିଲଙ୍କ ଅଧ୍ୟକ୍ଷତାରେ ଥିବା ରିଲାଏନ୍ସ କମ୍ପାନିଗୁଡ଼ିକ ଉପରେ ବଡ଼ ଆକାରର କରଜ ରହିଛି।

କମ୍ପାନି ପକ୍ଷରୁ ଅବଶ୍ୟ କୁହାଯାଇଛି ଯେ, ୟେସ ବ୍ୟାଙ୍କଠାରୁ ଯେତେ ଟଙ୍କା ଅଣାଯାଇଛି ତାହାକୁ ପରିଶୋଧ କରାଯିବ। ବ୍ୟାଙ୍କର ଟଙ୍କା ସୁରକ୍ଷିତ ଭାବେ ରହିଛି ବୋଲି କମ୍ପାନି କହିଛି। କମ୍ପାନିର ଯେତେ ସବୁ ସମ୍ପତ୍ତି ଅଛି ତାହାକୁ ବିକ୍ରି କରି ୟେସ ବ୍ୟାଙ୍କର ଋଣ ସୁଝାଯିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି।

ରିଜର୍ଭ ବ୍ୟାଙ୍କ ଦ୍ୱାରା ୟେସ ବ୍ୟାଙ୍କର ବୋର୍ଡ଼କୁ ଭାଙ୍ଗିଦିଆଯିବା ସହିତ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ ରିଲାଏନ୍ସ ଓ ସୁଭାଷ ଗୋଏଲଙ୍କ ଏସେଲ ଗ୍ରୁପ ଉପରେ ସାଙ୍ଘାତିକ ପରିମାଣର କରଜ ରହିଛି।

ଖବର ଅନୁସାରେ ୟେସ ବ୍ୟାଙ୍କର ସବୁଠୁ ବଡ଼ ୧୦ଟି କାରବାର ଭିତରେ ୪୪ଟି କମ୍ପାନି ରହିଛି। ଏହି ସବୁ କମ୍ପାନି ମିଶି ୩୪ ହଜାର କୋଟି ଟଙ୍କା ଋଣ ନେଇଛନ୍ତି। ଏଥିରୁ ଅନିଲଙ୍କ କରଜ ୧୨ ହଜାର ୮୦୦ କୋଟି ହୋଇଥିବା ବେଳେ ସୁଭାଷଙ୍କ କରଜ ୮୪୦୦କୋଟି।

ଅନ୍ୟ ଯେଉଁ ସବୁ କମ୍ପାନି ୟେସ ବ୍ୟାଙ୍କରୁ ଋଣ ନେଇ ସୁଝିନାହାନ୍ତି ତା’ଭିତରେ ଅଛନ୍ତି ଡିଏଚଏଫଏଲ ଗ୍ରୁପ, ଦିୱାନ ଫାଇନାନ୍ସିଙ୍ଗ କର୍ପୋରେସନ, ଜେଟ ଏୟାର, କକ୍ସ୍ ଓ କିଙ୍ଗସ, ଭାରତ ଇନଫ୍ରା। ଏହି ସବୁ କମ୍ପାନି ବ୍ୟାଙ୍କରୁ ବେଶ ପରିମାଣରେ ଟଙ୍କା ଋଣ ଆଣିଥିଲେ।

Comment