ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ହାତ ଛାଡ଼ି ବିଜେପି ଦଳରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଭାରତୀୟ ରାଜନୀତିରେ ବୁଧବାର ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଦୀର୍ଘ ୧୮ ବର୍ଷର ପୁରୁଣା ସମ୍ପର୍କକୁ ପର କରିଦେଇ ମଧ୍ୟପ୍ରଦେଶ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହୋଇଛନ୍ତି। ଦିନେ ମୋଦୀ, ଶାହଙ୍କ ବିରୋଧରେ ଗର୍ଜୁଥିବା ଏହି ନେତା ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହିତ ତାଙ୍କୁ ନିଜର ନେତା ଭାବେ ନିଜର କରିଛନ୍ତି।ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ସେ ଠିକ୍ ଭାବେ କାମ କରିପାରୁନାହାନ୍ତି ବୋଲି ଦର୍ଶାଇ ସେ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପଠାଇ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

କିଏ ଜ୍ୟୋତିରାଦିତ୍ୟ ସିନ୍ଧିଆ?

ମଧ୍ୟପ୍ରଦେଶରେ ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଖୁବ୍ ପରିଚିତ। ସିନ୍ଧିଆ ରାଜବଂଶର ଦାୟାଦ ହେବା ସହିତ ସେ ଓ ତାଙ୍କର ପରିବାର ରାଜ୍ୟ ରାଜନୀତିରେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୦୨ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ରହିଥିଲେ। ଏପରିକି ୨୦୧୮ ମସିହାରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ପଛରେ ଜ୍ୟୋତିରାଦିତ୍ୟଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୁହାଯାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଯୁବ ଟିମର ଜଣେ ଆଗଧାଡ଼ିର ନେତା ଭାବେ ସେ ଜାତୀୟ ରାଜନୀତିରେ ମଧ୍ୟ ନିଜର ପାରିବାପଣିଆ ଦେଖାଇସାରିଛନ୍ତି।କାହିଁକି ଛାଡିଲେ କଂଗ୍ରେସ?

କଂଗ୍ରେସର ହାତ ଛାଡ଼ି ସିନ୍ଧିଆ ଏବେ ପଦ୍ମ ଧରିଛନ୍ତି। ଏହା ପଛରେ ଅନେକ କିଛି କାରଣ ଲୁଚି ରହିଥିବା କୁହାଯାଉଛି। ମଧ୍ୟପ୍ରଦେଶରେ ଏବେ କମଳନାଥଙ୍କ ସରକାର ରହିଛି। ରାଜ୍ୟର ଜଣେ ଆଗଧାଡ଼ିର ନେତା ହୋଇଥିଲେ ମଧ୍ୟ ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସରେ କେବେ ବି ଯୁବ ନେତୃତ୍ୱକୁ ସୁଯୋଗ ଦିଆଯାଉନି ବୋଲି ମଧ୍ୟ ସେ କହିଛନ୍ତି।୨୦୧୮ ମସିହା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳକୁ ଶାସନଗାଦିକୁ ଫେରାଇବାରେ ସେ ପ୍ରମୁଖ ଭୂମିକ ଗ୍ରହଣ କରିଥିଲେ। ତାଙ୍କର ଉଦ୍ୟମ ବଳରେ କଂଗ୍ରେସ ଦୀର୍ଘ ୧୪ ବର୍ଷ ପରେ ଶାସନ ଫେରିଥିଲା। ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୩୦ଆସନରୁ ୧୧୪ଟି ଆସନ ଅକ୍ତିଆର କରିଥିଲା। ତେଣୁ ଦଳ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମଧ୍ୟପ୍ରଦେଶରେ ନିଜର ସରକାର ଗଠନ କରିଥିଲା। ଏହି ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ କଂଗ୍ରେସ ନେତାମାନେ  ଯୁବ ନେତୃତ୍ୱକୁ ବାଦ୍ ଦେଇ କମଳନାଥଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭାରର ଦାୟିତ୍ୱ ନେଇଥିଲେ। ଯେଉଁଥିପାଇଁ ଜ୍ୟୋତିରାଦିତ୍ୟ ଦଳ ଛାଡ଼ିଥିବା ମଧ୍ୟ କୁହାଯାଉଛି।

ଅନ୍ୟପଟେ ୨୦୧୯ ଲୋକସଭା ନିର୍ବାଚନରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ନେତା କୃଷ୍ଣପାଲ ସିଂହ ଯାଦବଙ୍କଠାରୁ ପରାସ୍ତ ହୋଇଯାଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଆସନରେ ସଂସଦକୁ ଯିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ଦଳ ତାଙ୍କ ବଦଳରେ ବରିଷ୍ଠ ନେତା ଦିଗବିଜୟ ସିଂହକୁ ରାଜ୍ୟସଭା ପଠାଇବ ବୋଲି ଚିନ୍ତା କରିଥିଲା। ଏହାକୁ ନେଇ କଂଗ୍ରେସ ଉପରେ ଖପ୍ପା ହୋଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ମଧ୍ୟପ୍ରଦେଶରେ ହେବ ବିଜେପି ସରକାର

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଫଳରେ ଏବେ ରାଜ୍ୟରେ ଦଳ ପୁଣି ଶାସନକୁ ଫେରିବ ବୋଲି କୁହାଯାଉଛି। ଜ୍ୟୋତିରାଦିତ୍ୟଙ୍କ ଅନୁଗାମୀ ୨୨ ଜଣ ବିଧାୟକ ଏବେ ବିଧାୟକ ପଦ ଓ ଦଳରୁ ଇସ୍ତଫା ଦେଇ ଦେଇଛନ୍ତି। ଫଳରେ କମଳନାଥଙ୍କ ସରକାର ଏବେ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଏହାପରେ ମଧ୍ୟପ୍ରଦେଶରେ ଏବେ ବିଜେପି ସରକାର ଗଠନ କରିବା ସହଜ ହୋଇଯାଇଛି।

ମଧ୍ୟପ୍ରଦେଶ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଲା ୨୩୦। ସେଥିମଧ୍ୟରୁ ୨ ଜଣ ବିଧାୟକଙ୍କ ମୃତ୍ୟୁ ଘଟିବା କାରଣରୁ ବିଧାନସଭାର ସିଟ୍ ସଂଖ୍ୟା ୨୨୮ ହୋଇଯାଇଥିଲା। ଗତକାଲି କଂଗ୍ରେସର ୨୨ ଜଣ ବିଧାୟକ ନିଜର ଇସ୍ତଫା ଦେବା ଦ୍ୱାରା ଏହି ସଂଖ୍ୟା ୨୦୬କୁ ଖସିଯାଇଛି। ଫଳରେ ଏବେ ରାଜ୍ୟରେ ସରକାର ଗଠନ କରିବା ପାଇଁ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି।୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳ ପାଖରେ ଏବେ ୧୧୪ ବିଧାୟକରୁ ମାତ୍ର ୯୨ ଜଣ ବିଧାୟକ ରହିଛନ୍ତି। ଏହାପରେ ଯଦି ୪ ଜଣ ସ୍ୱାଧୀନ ବିଧାୟକ, ୨ ଜଣ ବିଏସପି ଓ ଜଣେ ସମାଜବାଦୀ ପାର୍ଟିର ବିଧାୟକଙ୍କ ସମର୍ଥନ ମିଳେ ତେବେ ଏହି ସଂଖ୍ୟା ବୃଦ୍ଧି ପାଇ ୯୯ରେ ପହଞ୍ଚିବ। ଏହାପରେ ମଧ୍ୟ କଂଗ୍ରେସକୁ ସରକାର ଗଠନ ପାଇଁ ୫ ଜଣ ବିଧାୟକଙ୍କ ଅଭାବ ପଡ଼ିବ।

ଅନ୍ୟପଟରେ ବିଜେପି ପାଖରେ ଏବେ ୧୦୭ ବିଧାୟକ ଅଛନ୍ତି। ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ଏବେ ସରକାର ଗଠନ ପାଇଁ ୧୦୪ ବିଧାୟକ ଆବଶ୍ୟକ ହେଉଛନ୍ତି। ତେଣୁ ସରକାର ଗଠନ ପାଇଁ ବିଜେପିକୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।

Comment