ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିଦେଶରୁ ଫେରିଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ପଡ଼ିବ। ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସଚିବ କହିଛନ୍ତି ଯେ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ୧୮୯୭ ମସିହା ଏପିଡେମିକ୍ ଆଇନ। ଏହି ଆଇନ ଅନୁଯାୟୀ ଯେଉଁ ବ୍ୟକ୍ତିମାନେ ବିଦେଶରୁ ଫେରି ସ୍ୱାସ୍ଥ୍ୟ ବିଭାଗକୁ ଜଣାଉ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚୀନ, ହଂକଂ, କୋରିଆ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର ଆଦି ଦେଶରୁ ଫେରୁଥିବା ଲୋକମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହି ଦେଶରୁ ଫେରୁଥିବା ଲୋକମାନଙ୍କୁ ନିଜ ଘରେ ୧୪ ଦିନ କ୍ୱାରାଣ୍ଟାଇନ (ଘରେ କାହା ସହ ମିଶିବେନି, ଗୋଟେ ଆବଦ୍ଧ ଘରେ ରହିବେ)ରେ ରହିବାକୁ ପଡ଼ିବ। ଯଦି ସେମାନଙ୍କ ପାଖରେ କ୍ଵାରଣ୍ଟାଇନ୍‌ରେ ରହିବା ସୁବିଧା ନଥିବ ତା’ହାଲେ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସୁବିଧା ଯୋଗାଇଦେବେ।
ପୂର୍ବରୁ ଇଟାଲୀରୁ ଜଣେ ଯୁବତୀ କଟକ ଫେରି ସ୍ୱାସ୍ଥ୍ୟ ବିଭାଗକୁ ଜଣାଇନଥିଲେ। ସେହିପରି କିଛିଦିନ ପୂର୍ବେ ଆୟାର୍ଲାଣ୍ଡର ଜଣେ କୋରୋନା ସନ୍ଦିଗ୍ଧ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଆଗକୁ ଯେଭଳି ଏହାର ପୁନରାବୃତ୍ତି ନହୁଏ ଏଥିପାଇଁ ରାଜ୍ୟସରକାର ଏହି ଆଇନ ଲାଗୁ କରିବାକୁ ଯାଉଛନ୍ତି।

କେରଳରେ ଏପିଡେମିକ୍‌ ଆଇନ ଲାଗୁ ହୋଇ ସାରିଛି।
କୋରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ଦେଶରେ ୬୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି

Comment