ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ଟାଉନରୁ ୩୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଜୟପୁର ପୋଲିସ। ଏହି ଶ୍ରମିକମାନେ ହାଇଦ୍ରାବାଦର କୌଣସି ଏକ ଇଟାଭାଟିରେ ଦାଦନ  ଖଟିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ଏନେଇ ଜୟପୁର ଟାଉନ ପୋଲିସକୁ ଖବର ଦେଇଥିଲା। ଖବର ପାଇ ପୋଲିସ ଡିଏସପି ଅଂଶୁମାନ ଦ୍ଵିବେଦୀ ନେତୃତ୍ଵରେ ପୋଲିସ ଏମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଏହି ଶ୍ରମିକମାନେ କଳାହାଣ୍ଡି, ନବରଙ୍ଗପୁର, ଛତିଶଗଡ ଆଦି ଅଞ୍ଚଳର ବୋଲି ଜଣା ପଡ଼ିଛି। ତେବେ ଏହି  ଶ୍ରମିକମାନେ ନିଜ ଇଚ୍ଛାରେ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ।  ପ୍ରତିବର୍ଷ ଏହି ଶ୍ରମିକମାନେ ଦାଦନ ଖଟିବାକୁ ବାହାରକୁ ଯାଉଥିବା କଥା କହିଛନ୍ତି।

ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି। ଏହି ଶ୍ରମିକଙ୍କୁ କେହି ଶ୍ରମିକ ଦଲାଲ ଚାଲାଣ କରୁଥିଲା ନା ଏମାନେ ନିଜ ଇଚ୍ଛାରେ ଦାଦନ ଖଟିବାକୁ ଯାଉଥିଲେ ସେନେଇ ତଦନ୍ତ ଚଳାଇଛି ଜୟପୁର ପୋଲିସ।

Comment