ଓଡ଼ିଶାଲାଇଭ୍‌ ବ୍ୟୁରୋ

କାହିଁକି କାୟା ମେଲାଉଛି କରୋନା? କେମିତି ତିଆରି ହେବ ଔଷଧ? ଏନେଇ ଗବେଷଣା ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା। କାହିଁକି ନା ଏହି ଭୟଙ୍କର ଭୂତାଣୁର ନାମକରଣ କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ। ହେଲେ ଭୂତାଣୁର ନାମକରଣ ସହ ଔଷଧ ତିଆରିର କ’ଣ ସମ୍ପର୍କ ରହିଛି? ପଢନ୍ତୁ ପୂରା ରିପୋର୍ଟ।

ଯେଉଁ ଭୂତାଣୁ ଦ୍ୱାରା କରୋନା ବ୍ୟାପୁଛି ତାର ନାଁ ହିଉଛି ସିଭିୟର ଏକୁଟ ରେସପାଏରୋଟାରୀ ସିଷ୍ଟମ କରୋନା ଭାଇରସ-୨ ବା ସାର୍ସ-କୋଭି-୨।୧୧ ଫେବ୍ରୁଆରି ୨୦୨୦ରେ ଡବ୍ଲୁଏଚଓର ଇଂଟରନ୍ୟାସନାଲ କମିଟି ଅନ ଟେକ୍ସୋନୋମି ଅଫ ଭାଇରସେସ୍‌ ଏହି ଭୂତାଣୁର ନାମକରଣ କରିଛନ୍ତି।

୨୦୦୩ ମସିହାରେ ସାର୍ସ ଯୋଗୁଁ ବିଶ୍ଵରେ ୮୦୦ଲୋକଙ୍କ ଜୀବନ ଯାଇଥିଲା। ଏହା ମଧ୍ୟ କରୋନା ପ୍ରଜାତିର ଭୂତାଣୁ ଯୋଗୁଁ ବ୍ୟାପିଥିଲା। ୨୦୧୯ ମସିହା ଶେଷ ଭାଗକୁ କରୋନା ପ୍ରଜାତିର ହିଁ ଆଉ ଏକ ଭୂତାଣୁ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଏଣୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ କରୋନା ଭୂତାଣୁକୁ ସାର୍ସ-କୋଭି-୨ବୋଲି ନାମିତ କରିଛି।

ସବୁଠାରୁ ବଡକଥା ହେଉଛି ଭୂତାଣୁର ଆକାର ଓ ଜିନକୁ ଦେଖି ତାର ନାମକରଣ କରାଯାଏ। ଫଳରେ ଏହି ଭୂତାଣୁକୁ କେମିତି ନଷ୍ଟ କରାଯିବ ତାହା ସ୍ଥିର କରିବା ସମ୍ଭବପର ହୋଇଥାଏ। ଏମିତିକି ଆବଶ୍ୟକୀୟ ଔଷଧ ଓ ଟୀକା ପ୍ରସ୍ତୁତ କରିବାରେ ବି ଏହା ସହାୟକ ହୁଏ। ସାର୍ସ-କୋଭି ୨ର ଗଠନ ଓ ଆକାର ଜାଣିବା ପରେ ବର୍ତ୍ତମାନ ଔଷଧ ତିଆରି ଗବେଷଣା ଏକ ନୂଆ ଦିଶା ପାଇପାରେ।

ସେହିପରି ସାର୍ସ କୋଭି ୨ ଭୂତାଣୁ ଯୋଗୁଁ ବ୍ୟାପୁଥିବା ରୋଗର ନାଁ ରଖାଯାଇଛି କୋଭିଡ-୧୯ ଯାହାକୁ ଆମେ ସମସ୍ତେ କରୋନା ବୋଲି କହୁଛୁ। ଏହାକୁ ପୂର୍ବରୁ ୨୦୧୯ ନୋଭେଲ କରୋନା ଭାଇରସ ବୋଲି କୁହାଯାଉଥିଲା।  ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦିଷ୍ଟ ଗାଇଡଲାଇନ ଅନୁସାରେ ରୋଗର ନାମ କରଣ କରିଛି। ଆଉ ରୋଗର ନାମକରଣ ହେଲେ ସଂକ୍ରମଣ ରୋକିବା,ନୀରାକରଣ ପାଇଁ ପଦକ୍ଷେପ ନେବା ଓ ଚିକିତ୍ସା ଯୋଗାଇବା ବିଶ୍ଵବ୍ୟାପି ସହଜ ହୋଇଥାଏ।

ଭୂତାଣୁ ଓ ରୋଗର ନାଁ ନିର୍ଦ୍ଧାରିତ ହେବା ପରେ ବର୍ତ୍ତମାନ ଭୂତାଣୁ ଉପରେ ଅନୁଧ୍ୟାନ କରୁଥିବା ଗବେଷକ ଔଷଧ ଖୋଜୁଛନ୍ତି। ସେପଟେ ପୂରା ବିଶ୍ଵ ସମୁଦାୟ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ସହ ମୁକାବିଲା କରୁଛନ୍ତି। ଫଳରେ ବିଶ୍ଵବ୍ୟାପୀ ମହାମାରୀକୁ ରୋକିବା ନେଇ ନୂଆ ସମ୍ଭାବନା ଦେଖାଦେଇଛି।

Comment